ଆଦି ପୁସ୍ତକ 18
18
1ଏଥିଉତ୍ତାରୁ ଦିନକର ଖରା ବେଳେ ଅବ୍ରହାମ ମମ୍ରିର ଅଲୋନ ବୃକ୍ଷ ମୂଳେ ଆପଣା ତମ୍ଵୁ ଦ୍ଵାରରେ ବସିଥିଲେ; ଏହି ସମୟରେ ସଦାପ୍ରଭୁ ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଲେ।
2ତହିଁରେ ସେ ଅନାଇ ଦେଖିଲେ, ତିନୋଟି ପୁରୁଷ ତାଙ୍କ ସମ୍ମୁଖରେ ଦଣ୍ତାୟମାନ; ପୁଣି ଦେଖିବା ମାତ୍ର ସାକ୍ଷାତ୍ କରିବାକୁ ତମ୍ଵୁଦ୍ଵାରରୁବେଗେ ଯାଇ ଭୂମିଷ୍ଠ ହୋଇ କହିଲେ,
3ହେ ପ୍ରଭୋ, ନିବେଦନ କରୁଅଛି, ଯେବେ ମୋʼ ପ୍ରତି ଅନୁଗ୍ରହ କରିବା ହେଲେ, ତେବେ ଏହି ଦାସର ସ୍ଥାନରୁ ଯିବେ ନାହିଁ।
4ବିନୟ କରୁଅଛି, ଅଳ୍ପ ଜଳ ଅଣାଇ ଦେଉଅଛି, ଆପଣମାନେ ପାଦ ପ୍ରକ୍ଷାଳନ କରି ଏହି ବୃକ୍ଷ ତଳେ ବିଶ୍ରାମ କରନ୍ତୁ
5ଓ କିଛି ଖାଦ୍ୟଦ୍ରବ୍ୟ ଆଣି ଦେଉଛି, ତଦ୍ଦ୍ଵାରା ପ୍ରାଣ ତୃପ୍ତ କରନ୍ତୁ, ତହିଁ ଉତ୍ତାରେ ଗମନ କରିବେ; କାରଣ ଏଥିନିମନ୍ତେ ଆପଣା ଦାସ ନିକଟକୁ ଆଗମନ କଲେ। ସେତେବେଳେ ସେମାନେ କହିଲେ, ଯାହା କହୁଅଛ, ତାହା କର।
6ତହିଁରେ ଅବ୍ରହାମ ଶୀଘ୍ର ତମ୍ଵୁ ଗୃହକୁ ସାରା ନିକଟକୁ ଯାଇ କହିଲେ, ତିନି ସେର ଉତ୍ତମ ମଇଦା ନେଇ ଛାଣି ଶୀଘ୍ର ରୋଟୀ ପ୍ରସ୍ତୁତ କର।
7ଅନନ୍ତର ଅବ୍ରହାମ ଗୋଠକୁ ଶୀଘ୍ର ଯାଇ ଉତ୍ତମ କୋମଳ ଗୋବତ୍ସ ଆଣି ଦାସକୁ ଦିଅନ୍ତେ, ସେ ତାହା ଶୀଘ୍ର ରାନ୍ଧିଲା।
8ସେତେବେଳେ ସେ ଦଧି, ଦୁଗ୍ଧ ଓ ପକ୍ଵ ଗୋବତ୍ସ ଆଣି ସେମାନଙ୍କ ନିକଟରେ ରଖିଲେ, ପୁଣି ସେମାନଙ୍କ ଭୋଜନ ସମୟରେ ବୃକ୍ଷ ମୂଳେ ସେମାନଙ୍କ ନିକଟରେ ଛିଡ଼ା ହେଲେ।
9ତହିଁ ଉତ୍ତାରୁ ସେମାନେ ତାଙ୍କୁ ପଚାରିଲେ, ତୁମ୍ଭର ଭାର୍ଯ୍ୟା ସାରା କେଉଁଠାରେ? ସେ କହିଲେ, ଦେଖନ୍ତୁ, ସେ ତମ୍ଵୁରେ ଅଛନ୍ତି।
10ତହୁଁ ସେ କହିଲେ, ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଆମ୍ଭେ ଅବଶ୍ୟ ଫେରି ଆସିବା; ଦେଖ, ସେସମୟକୁ ତୁମ୍ଭ ଭାର୍ଯ୍ୟା ସାରାର (କୋଳରେ) ଗୋଟିଏ ପୁତ୍ର ଥିବ। ଏହି କଥା ସାରା ତମ୍ଵୁ ଦ୍ଵାରରେ ତାଙ୍କ ପଛେ ଥାଇ ଶୁଣିଲେ।
11ସେହି ସମୟରେ ଅବ୍ରହାମ ଓ ସାରା ବୃଦ୍ଧ ଓ ଗତବୟସ୍କ ଥିଲେ, ପୁଣି ସାରାଙ୍କର ସ୍ତ୍ରୀଧର୍ମ ନିବୃତ୍ତ ହୋଇଥିଲା।
12ଏନିମନ୍ତେ ସାରା ହସି ମନେ ମନେ କହିଲେ, ମୋହର ଏହି ଶୀର୍ଣ୍ଣାବସ୍ଥାରେ କି ଏରୂପ ଆନନ୍ଦ ହେବ? ବିଶେଷତଃ ମୋହର ପ୍ରଭୁ ମଧ୍ୟ ବୃଦ୍ଧ।
13ସେତେବେଳେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, ଆପଣାର ବୃଦ୍ଧାବସ୍ଥାରେ କି ନିଶ୍ଚୟ ସନ୍ତାନ ଜନ୍ମିବ, ଏହା ଭାବି ସାରା କାହିଁକି ହସିଲା?
14ସଦାପ୍ରଭୁଙ୍କ ଆଶ୍ଚର୍ଯ୍ୟ କେଉଁ କର୍ମ? ଏହି ଋତୁ ପୁନର୍ବାର ଉପସ୍ଥିତ ହେଲେ, ନିରୂପିତ ସମୟରେ ଆମ୍ଭେ ଫେରି ଆସିବା, ସେସମୟକୁ ସାରାର (କୋଳରେ) ପୁତ୍ର ଥିବ।
15ତହିଁରେ ସାରା ଅସ୍ଵୀକାର କରି କହିଲେ, ମୁଁ ହସି ନାହିଁ; ଯେହେତୁ ସେ ଭୟ କଲେ। ମାତ୍ର ସେ କହିଲେ, ତୁମ୍ଭେ ଅବଶ୍ୟ ହସିଲ।
ସଦୋମ ପାଇଁ ଅବ୍ରହାମଙ୍କ ପ୍ରାର୍ଥନା
16ଅନନ୍ତର ସେହି ଲୋକମାନେ ସେଠାରୁ ଉଠି ସଦୋମ ଆଡ଼କୁ ପ୍ରସ୍ଥାନ କରନ୍ତେ, ଅବ୍ରହାମ ବାଟ ଦେଖାଇବାକୁ ସେମାନଙ୍କ ସଙ୍ଗେ ସଙ୍ଗେ ଚାଲିଲେ।
17ତହୁଁ ସଦାପ୍ରଭୁ କହିଲେ, ଆମ୍ଭେ ଯାହା କରିବାକୁ ଉଦ୍ୟତ ଅଟୁ, ତାହା କି ଅବ୍ରହାମଠାରୁ ଲୁଚାଇବା?
18ଅବ୍ରହାମଠାରୁ ଏକ ମହତୀ ଓ ବଳବତୀ ଗୋଷ୍ଠୀ ଉତ୍ପନ୍ନ ହେବ ଓ ପୃଥିବୀର ଯାବତୀୟ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ।
19ଯେହେତୁ ତାହାର ଭବିଷ୍ୟତ ସନ୍ତାନଗଣ ଓ ପରିବାରବର୍ଗ ଯେପରି ନ୍ୟାୟ ଓ ଧର୍ମାଚରଣ କରିବାକୁ ସଦାପ୍ରଭୁଙ୍କ ପଥରେ ଚାଲିବେ, ଏଥିପାଇଁ ସେମାନଙ୍କୁ ସେ ଯେପରି ଆଜ୍ଞା ଦେବ, ଏହି ଅଭିପ୍ରାୟରେ ଆମ୍ଭେ ତାହାକୁ ନିର୍ଦ୍ଧାରଣ କରିଅଛୁ; ତହିଁରେ ସଦାପ୍ରଭୁ ଅବ୍ରହାମଙ୍କ ବିଷୟରେ ଆପଣା କଥିତ ବାକ୍ୟ ସିଦ୍ଧ କରିବେ।
20ସଦାପ୍ରଭୁ ଆହୁରି କହିଲେ, ସଦୋମ ଓ ହମୋରାର ବିରୁଦ୍ଧରେ ମହାଧ୍ଵନି ଉଠୁଅଛି, ସେମାନଙ୍କର ପାପ ଅତିଶୟ ଗୁରୁତର;
21ଏଣୁ ଆମ୍ଭେ ତଳକୁ ଦେଖିବାକୁ ଯାଇ ଆମ୍ଭ ନିକଟକୁ ଆଗତ କ୍ରନ୍ଦନ ଅନୁସାରେ ସେମାନେ ସର୍ବତୋଭାବେ କରିଅଛନ୍ତି କି ନାହିଁ, ତାହା ଜାଣିବା।
22ଏଥିଉତ୍ତାରୁ ସେହି ବ୍ୟକ୍ତିମାନେ ସେହିଠାରୁ ବାହୁଡ଼ି ସଦୋମ ଆଡ଼କୁ ଗମନ କଲେ; ମାତ୍ର ଅବ୍ରହାମ ସେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଛାମୁରେ ଛିଡ଼ା ହୋଇ ରହିଲେ।
23ଅନନ୍ତର ଅବ୍ରହାମ ନିକଟକୁ ଯାଇ କହିଲେ, ଆପଣ କି ଦୁଷ୍ଟ ସହିତ ଧାର୍ମିକକୁ ସଂହାର କରିବେ?
24ହୋଇପାରେ, ନଗର ମଧ୍ୟରେ ପଚାଶ ଜଣ ଧାର୍ମିକ ଥିବେ; ତହିଁ ମଧ୍ୟବର୍ତ୍ତୀ ପଚାଶ ଜଣ ଧାର୍ମିକଙ୍କ ସକାଶେ କି ସେହି ସ୍ଥାନ ରକ୍ଷା ନ କରି ସଂହାର କରିବେ?
25ଦୁଷ୍ଟ ସହିତ ଧାର୍ମିକକୁ ବିନାଶ କରିବାର କର୍ମ ଆପଣଙ୍କଠାରୁ ଦୂରେ ଥାଉ ଓ ଧାର୍ମିକକୁ ଦୁଷ୍ଟର ସମାନ କରିବା ଆପଣଙ୍କଠାରୁ ଦୂରେ ଥାଉ। ସମସ୍ତ ପୃଥିବୀର ବିଚାରକର୍ତ୍ତା କି ନ୍ୟାୟ ବିଚାର କରିବେ ନାହିଁ?
26ତହିଁରେ ସଦାପ୍ରଭୁ କହିଲେ, ଆମ୍ଭେ ଯେବେ ସଦୋମ ନଗରରେ ପଚାଶ ଜଣ ଧାର୍ମିକ ଦେଖିବା, ତେବେ ସେମାନଙ୍କ ସକାଶେ ସମସ୍ତ ସ୍ଥାନ ରକ୍ଷା କରିବା।
27ତହିଁରେ ଅବ୍ରହାମ ପ୍ରତ୍ୟୁତ୍ତର କଲେ, ଦେଖନ୍ତୁ, ମୁଁ ଧୂଳି ଓ ଭସ୍ମମାତ୍ର ହେଲେହେଁ ପ୍ରଭୁଙ୍କ ଛାମୁରେ କଥା କହିବାକୁ ପ୍ରବୃତ୍ତ ହୋଇଅଛି।
28ହୋଇପାରେ, ପଚାଶ ଜଣ ଧାର୍ମିକ ମଧ୍ୟରୁ ପାଞ୍ଚ ଜଣ ଊଣା ଥିବେ; ସେହି ପାଞ୍ଚ ଜଣ ଊଣା ହେବା ସକାଶୁ କି ଆପଣ ସମସ୍ତ ନଗର ବିନଷ୍ଟ କରିବେ? ସେ କହିଲେ, ଆମ୍ଭେ ପଞ୍ଚଚାଳିଶ ଜଣ ପାଇଲେ, ତାହା ବିନଷ୍ଟ କରିବା ନାହିଁ।
29ସେ ତାହାଙ୍କୁ ପୁନର୍ବାର କହିଲେ, ହୋଇପାରେ, ସେଠାରେ ଚାଳିଶ ଜଣ ମିଳିବେ। ସେ କହିଲେ, ସେହି ଚାଳିଶ ଜଣ ସକାଶୁ ତାହା କରିବା ନାହିଁ।
30ପୁନର୍ବାର ସେ କହିଲେ, ପ୍ରଭୁ ବିରକ୍ତ ନୋହିଲେ ଆହୁରି କଥାଏ କହିବି; ହୋଇପାରେ, ସେଠାରେ ତିରିଶ ଜଣ ମିଳିବେ। ସେ କହିଲେ, ତିରିଶ ଜଣ ପାଇଲେ, ତାହା କରିବା ନାହିଁ।
31ସେ କହିଲେ, ଦେଖନ୍ତୁ, ପ୍ରଭୁଙ୍କ ଛାମୁରେ ମୁଁ ପୁନର୍ବାର କଥା କହିବାକୁ ପ୍ରବୃତ୍ତ ହୋଇଅଛି; ହୋଇପାରେ, ସେଠାରେ କୋଡ଼ିଏ ଜଣ ମିଳିବେ। ସେ କହିଲେ, ସେହି କୋଡ଼ିଏ ଜଣ ସକାଶୁ ଆମ୍ଭେ ତାହା ବିନଷ୍ଟ କରିବା ନାହିଁ।
32ସେ କହିଲେ; ପ୍ରଭୁ ବିରକ୍ତ ନୋହିଲେ ଆଉ ଥରେ ମାତ୍ର କହିବି; ହୋଇପାରେ, ସେଠାରେ ଦଶ ଜଣ ମିଳିବେ। ସେ କହିଲେ, ସେହି ଦଶ ଜଣ ସକାଶୁ ଆମ୍ଭେ ତାହା ବିନଷ୍ଟ କରିବା ନାହିଁ।
33ସେତେବେଳେ ସଦାପ୍ରଭୁ ଅବ୍ରହାମଙ୍କ ସହିତ ଏପ୍ରକାର କଥୋପକଥନ ସମାପନ କରି ପ୍ରସ୍ଥାନ କଲେ, ପୁଣି ଅବ୍ରହାମ ହିଁ ସ୍ଵସ୍ଥାନକୁ ଫେରିଗଲେ।
Valgt i Øjeblikket:
ଆଦି ପୁସ୍ତକ 18: ODIAOV-BSI
Markering
Kopiér
Sammenlign
Del
Vil du have dine markeringer gemt på tværs af alle dine enheder? Tilmeld dig eller log ind
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.