Skip to content
Bibel App logo

ରୋମୀୟ 10

10
1ଭାଇମାନେ, ଇସ୍ରାଏଲୀୟମାନେ ଯେପରି ପରିତ୍ରାଣ ପାଇବେ, ସେମାନଙ୍କ ନିମନ୍ତେ ଏହା ମୋର ଆକାଂକ୍ଷା ଓ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। 2ମୁଁ ସେମାନଙ୍କ ସମ୍ବନ୍ଧରେ ଏହି ସାକ୍ଷ୍ୟ ଦେଇପାରେ ଯେ ଈଶ୍ୱରଙ୍କ ପାଇଁ ସେମାନେ ଅତି ଆଗ୍ରହୀ କିନ୍ତୁ ସେମାନଙ୍କର ଉଦ୍‌ଯୋଗ ଜ୍ଞାନ ଉପରେ ଆଧାରିତ ନୁହେଁ। 3ଯେଉଁ ଧାର୍ମିକତା ଈଶ୍ୱରଙ୍କଠାରୁ ଆସେ, ତାହା ସେମାନେ ନ ଜାଣି ନିଜର ଧାର୍ମିକତା ପ୍ରତିଷ୍ଠା କରିବାକୁ ଚେଷ୍ଟା କଲେ, ତେଣୁ ଈଶ୍ୱରଦତ୍ତ ଧାର୍ମିକତାର ବଶୀଭୂତ ହେଲେ ନାହିଁ। 4ପ୍ରତ୍ୟେକ ବିଶ୍ୱାସୀ ଯେପରି ଧାର୍ମିକତା ଲାଭ କରିପାରିବ ଏଥିପାଇଁ ଖ୍ରୀଷ୍ଟ ହେଉଛନ୍ତି ବିଧିବ୍ୟବସ୍ଥାର ପରିସମାପ୍ତି।
5ବିଧିବ୍ୟବସ୍ଥା ଦ୍ଵାରା ଯେଉଁ ଧାର୍ମିକତା ମିଳେ ସେହି ବିଷୟରେ ମୋଶା ଏହିପରି ଲେଖିଛନ୍ତି: “ଯେଉଁ ମନୁଷ୍ୟ ଏହିସମସ୍ତ ପାଳନ କରେ ସେ ତଦ୍ଦ୍ୱାରା ବଞ୍ଚିବ।” 6କିନ୍ତୁ ବିଶ୍ୱାସ ଦ୍ଵାରା ଯେଉଁ ଧାର୍ମିକତା ମିଳେ ତାହା ଏହିପରି କହେ: “ମନେ ମନେ ଏପରି କୁହ ନାହିଁ, (ଖ୍ରୀଷ୍ଟଙ୍କୁ ଓହ୍ଲାଇ ଆଣିବା ପାଇଁ) ‘କିଏ ସ୍ଵର୍ଗକୁ ଆରୋହଣ କରିବ?’ ” 7“କିମ୍ବା (ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟଙ୍କୁ ଉଠାଇ ଆଣିବା ପାଇଁ)। ‘କିଏ ରସାତଳକୁ ଅବତରଣ କରିବ?’ ” 8କିନ୍ତୁ ଶାସ୍ତ୍ର କଅଣ କହେ? “ସେହି ବାକ୍ୟ ତୁମ ନିକଟରେ ଅଛି; ତାହା ତୁମ ମୁଖରେ ଓ ତୁମ ହୃଦୟରେ,” ଏହା ହେଉଛି, ସେହି ବିଶ୍ୱାସର ବାକ୍ୟ ଯାହା ଆମେ ଘୋଷଣା କରୁଛୁ: 9ଯଦି ତୁମେ ମୁଖରେ ସ୍ୱୀକାର କର ଯେ, “ଯୀଶୁ ପ୍ରଭୁ ଅଟନ୍ତି,” ଏବଂ ହୃଦୟରେ ବିଶ୍ୱାସ କର ଯେ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ତେବେ ତୁମେ ପରିତ୍ରାଣ ପାଇବ। 10ଯେହେତୁ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ଧାର୍ମିକ ବିବେଚିତ ହୁଏ, ଏବଂ ମୁଖରେ ସ୍ୱୀକାର କରେ ଓ ପରିତ୍ରାଣ ଲାଭ କରେ। 11ଧର୍ମଶାସ୍ତ୍ର ଏହିପରି କହେ, “ଯେକେହି ତାହାଙ୍କଠାରେ ବିଶ୍ୱାସ କରେ ସେ କେବେ ଲଜ୍ଜିତ ହେବ ନାହିଁ।” 12କାରଣ ଯିହୁଦୀ ଓ ଗ୍ରୀକ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ସେହି ପ୍ରଭୁ ସମସ୍ତଙ୍କର ପ୍ରଭୁ ଅଟନ୍ତି ଏବଂ ତାଙ୍କ ନିକଟରେ ପ୍ରାର୍ଥନାକାରୀ ପ୍ରତ୍ୟେକଙ୍କୁ ସେ ବହୁଳ ଭାବରେ ଆଶୀର୍ବାଦ କରନ୍ତି, 13ଯେହେତୁ, “ଯେକେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରେ, ସେ ପରିତ୍ରାଣ ପାଇବ।”
14ତାହାହେଲେ, ଯାହାଙ୍କଠାରେ ସେମାନେ ବିଶ୍ୱାସ କରିନାହାନ୍ତି, ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ? ପୁଣି ଯାହାଙ୍କ କଥା ସେମାନେ ଶୁଣି ନାହାନ୍ତି ତାହାଙ୍କଠାରେ କିପରି ବିଶ୍ୱାସ କରିବେ? ଆହୁରି ମଧ୍ୟ ସେମାନଙ୍କ ନିକଟରେ କେହି ପ୍ରଚାର ନ କଲେ ସେମାନେ କିପରି ଶୁଣିବେ? 15ପୁଣି ପଠା ନ ଗଲେ ସେମାନେ କିପରି ପ୍ରଚାର କରିବେ? କାରଣ ଏହିପରି ଲେଖାଅଛି: “ଯେଉଁମାନେ ଶୁଭବାର୍ତ୍ତା ଘେନି ଆସନ୍ତି ସେମାନଙ୍କ ଚରଣ କେଡ଼େ ଶୋଭନୀୟ!”
16କିନ୍ତୁ ସବୁ ଇସ୍ରାଏଲୀୟ ଯେ ଶୁଭବାର୍ତ୍ତା ଗ୍ରହଣ କଲେ। ତା ନୁହେଁ। କାରଣ ଯିଶାଇୟ କହନ୍ତି, “ହେ ପ୍ରଭୁ, କିଏ ଆମ ବାର୍ତ୍ତା ବିଶ୍ୱାସ କରିଅଛି?” 17ସୁତରାଂ, ବାର୍ତ୍ତା ଶ୍ରବଣରୁ ବିଶ୍ୱାସ ଆସେ ଏବଂ ଖ୍ରୀଷ୍ଟଙ୍କ ବାକ୍ୟ ମାଧ୍ୟମରେ ବାର୍ତ୍ତା ଶ୍ରବଣ କରାଯାଏ। 18କିନ୍ତୁ ମୁଁ ପ୍ରଶ୍ନ କରେ: ସେମାନେ କଅଣ ଶୁଣି ନ ଥିଲେ? ଅବଶ୍ୟ ସେମାନେ ଶୁଣିଥିଲେ:
“ସେମାନଙ୍କ ସ୍ଵର ସମଗ୍ର ପୃଥିବୀରେ,
ଏବଂ ସେମାନଙ୍କର କଥା ଜଗତର ସୀମା ପର୍ଯ୍ୟନ୍ତ ପ୍ରସାରିତ ହୋଇଅଛି।”
19ମୁଁ ପୁନର୍ବାର ପ୍ରଶ୍ନ କରେ: ଇସ୍ରାଏଲ କଅଣ ବୁଝି ନ ଥିଲା? ପ୍ରଥମରେ, ମୋଶା କହନ୍ତି,
“ଯେଉଁମାନେ ଜାତି ପଦବାଚ୍ୟ ନୁହନ୍ତି ଏପରି ଜାତିର ଲୋକଙ୍କ ଦ୍ଵାରା ମୁଁ ତୁମ୍ଭମାନଙ୍କୁ ଈର୍ଷାନ୍ୱିତ କରାଇବି;
ଏବଂ ନିର୍ବୋଧ ଜାତି ଦ୍ଵାରା ତୁମ୍ଭମାନଙ୍କ କ୍ରୋଧ ଜନ୍ମାଇବି।” 20ପୁଣି ଯିଶାଇୟ ସାହସ ସହକାରେ କହନ୍ତି,
“ଯେଉଁମାନେ ମୋର ଅନ୍ୱେଷଣ କରି ନ ଥିଲେ ସେମାନେ ମୋର ସନ୍ଧାନ ପାଇଲେ;
ଯେଉଁମାନେ ମୋତେ ଖୋଜି ନ ଥିଲେ ମୁଁ ସେମାନଙ୍କ ନିକଟରେ ନିଜକୁ ପ୍ରକାଶ କଲି।” 21କିନ୍ତୁ ଇସ୍ରାଏଲ ସମ୍ବନ୍ଧରେ ସେ କହନ୍ତି,
“ଯେଉଁମାନଙ୍କୁ ମୁଁ ସାରାଦିନ ହାତ ବଢ଼ାଇଛି
ସେମାନେ ଅବାଧ୍ୟ ଓ ବିଦ୍ରୋହାଚାରୀ।”