ମାଥିଉ 14

14
ବାପ୍ତିଜକ ଯୋହନଙ୍କ ମୃତ୍ୟୁ
(ମାର୍କ 6:14-29; ଲୂକ 9:7-9)
1ସେହି ସମୟରେ ସାମନ୍ତରାଜା ହେରୋଦ ଯୀଶୁଙ୍କ ବିଷୟରେ ସମ୍ବାଦ ଶୁଣି ଆପଣା ଦାସମାନଙ୍କୁ କହିଲେ, 2ଏ ବାପ୍ତିଜକ ଯୋହନ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି।
3ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କ ସକାଶେ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ। 4କାରଣ ଯୋହନ ତାହାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ। 5ଆଉ, ସେ ତାହାଙ୍କୁ ବଧ କରିବାକୁ ଇଚ୍ଛା କଲେ ସୁଦ୍ଧା ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ।
6କିନ୍ତୁ ହେରୋଦଙ୍କ ଜନ୍ମ ଦିନ ପଡ଼ନ୍ତେ, ହେରୋଦିଆଙ୍କ କନ୍ୟା ସଭା ମଧ୍ୟରେ ନୃତ୍ୟ କରି ହେରୋଦଙ୍କୁ ମୁଗ୍ଧ କରିଦେଲା। 7ସେଥିରେ ସେ ଶପଥ କରି ପ୍ରତିଜ୍ଞା କଲେ ଯେ, ସେ ଯାହା କିଛି ମାଗିବ, ସେ ତାହାକୁ ତାହା ଦେବେ।
8ଆଉ, ସେ ଆପଣା ମାଆର ଶିକ୍ଷାରେ ପଡ଼ି କହିଲା ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମୋତେ ଦିଅନ୍ତୁ। 9ଏଥିରେ ରାଜା ଦୁଃଖିତ ହେଲେ ସୁଦ୍ଧା ନିଜ ଶପଥ ଓ ଆପଣା ସହିତ ଭୋଜିରେ ବସିଥିବା ବ୍ୟକ୍ତିମାନଙ୍କ ସକାଶେ ତାହା ଦେବାକୁ ଆଜ୍ଞା ଦେଲେ।
10ପୁଣି, ଲୋକ ପଠାଇ ବନ୍ଦୀଶାଳାରେ ଯୋହନଙ୍କ ମସ୍ତକ ଛେଦନ କରାଇଲେ, 11ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା, ପୁଣି, ସେ ଆପଣା ମାଆ ନିକଟକୁ ତାହା ନେଇଗଲା। 12ସେଥିରେ ତାହାଙ୍କ ଶିଷ୍ୟମାନେ ଆସି ଶବ ନେଇଯାଇ ତାହାଙ୍କୁ ସମାଧି ଦେଲେ ଓ ଯାଇ ଯୀଶୁଙ୍କୁ ଜଣାଇଲେ।
ପାଞ୍ଚ ରୁଟି ଦୁଇ ମାଛ
(ମାର୍କ 6:30-44; ଲୂକ 9:10-17; ଯୋହନ 6:1-14)
13ଯୀଶୁ ତାହା ଶୁଣି ସେଠାରୁ ଅଲଗା ହୋଇ ନୌକାରେ ଗୋଟିଏ ଜନଶୂନ୍ୟ ସ୍ଥାନକୁ ଗଲେ। ଲୋକସମୂହ ଏହା ଶୁଣି ନଗରଗୁଡ଼ିକରୁ ଆସି ଚାଲିଚାଲି ତାହାଙ୍କର ପଶ୍ଚାତ୍‍ଗମନ କଲେ; 14ଆଉ, ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକକୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ସେମାନଙ୍କର ରୋଗୀମାନଙ୍କୁ ସୁସ୍ଥ କଲେ।
15ବେଳ ଗଡ଼ିଯିବାରୁ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ଜନଶୂନ୍ୟ, ପୁଣି, ବେଳ ତ ଗଲାଣି; ଏଣୁ ଲୋକସମୂହ ଯେପରି ଗ୍ରାମମାନଙ୍କୁ ଯାଇ ନିଜ ନିଜ ପାଇଁ ଖାଦ୍ୟ କିଣନ୍ତି, ସେଥିପାଇଁ ସେମାନଙ୍କୁ ବିଦାୟ ଦିଅନ୍ତୁ।
16କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ସେମାନଙ୍କର ଯିବା ଆବଶ୍ୟକ ନୁହେଁ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।” 17ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କର ଏଠାରେ କେବଳ ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଅଛି। 18ସେ କହିଲେ, “ସେଗୁଡ଼ିକ ଏଠାକୁ ମୋʼ ପାଖକୁ ଆଣ।”
19ପୁଣି, ସେ ଲୋକସମୂହକୁ ଘାସ ଉପରେ ବସିବା ପାଇଁ ଆଜ୍ଞା ଦେଲେ, ଆଉ ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟି ଗୁଡ଼ିକ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ ଆଉ ଶିଷ୍ୟମାନେ ଲୋକସମୂହକୁ ଦେଲେ। 20ପୁଣି, ସମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା ତାହା ସେମାନେ ଉଠାଇ ବାର ଟୋକେଇ ଭର୍ତ୍ତି କଲେ। 21ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ।
ଯୀଶୁଙ୍କ ପାଣି ଉପରେ ଚାଲିବା
(ମାର୍କ 6:45-52; ଯୋହନ 6:15-21)
22ସେହିକ୍ଷଣି ଯୀଶୁ ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ତାହାଙ୍କ ଆଗରେ ଅପର ପାରିକୁ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ। 23ଲୋକସମୂହକୁ ବିଦାୟ ଦେଲା ପରେ ସେ ପ୍ରାର୍ଥନା କରିବା ପାଇଁ ବାହାରିଯାଇ ପର୍ବତ ଉପରକୁ ଗଲେ, ଆଉ ସନ୍ଧ୍ୟା ହେଲା ପରେ ସେ ସେଠାରେ ଏକାକୀ ଥିଲେ। 24କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଟଳମଳ ହେଉଥିଲା।
25କିନ୍ତୁ ରାତ୍ରିର ଚତୁର୍ଥ ପ୍ରହରରେ ଯୀଶୁ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, 26ପୁଣି, ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍‌ବିଗ୍ନ ହୋଇ କହିଲେ, ଏ ତ ଭୂତ; ଆଉ, ସେମାନେ ଭୟରେ ଚିତ୍କାର କଲେ। 27କିନ୍ତୁ ଯୀଶୁ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ “ସାହସ ଧର ଏ ତ ମୁଁ, ଭୟ କର ନାହିଁ।”
28ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ପାଖକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ। 29ସେ କହିଲେ, “ଆସ।” ସେଥିରେ ପିତର ନୌକାରୁ ଓହ୍ଲାଇ ଜଳ ଉପରେ ଚାଲି ଯୀଶୁଙ୍କ ପାଖକୁ ଗଲେ। 30ମାତ୍ର ସେ ପବନ ଦେଖି ଭୟ କଲେ, ପୁଣି, ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ।
31ଯୀଶୁ ସେହିକ୍ଷଣି ହାତ ବଢ଼ାଇ ତାହାକୁ ଧରି କହିଲେ, “ହେ ଅଳ୍ପ ବିଶ୍ୱାସୀ କାହିଁକି ସନ୍ଦେହ କଲ?” 32ପୁଣି, ସେମାନେ ନୌକାରେ ଚଢ଼ନ୍ତେ, ପବନ ବନ୍ଦ ହେଲା। 33ସେଥିରେ ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ବରଙ୍କ ପୁତ୍ର।
ଗିନ୍ନେସରତ‌ରେ ଯୀଶୁଙ୍କ ସୁସ୍ଥତା ପ୍ରଦାନ
(ମାର୍କ 6:53-56)
34ସେମାନେ ସମୁଦ୍ର ପାର ହୋଇ ଗିନ୍ନେସରତ ଅଞ୍ଚଳରେ ପହଞ୍ଚିଲେ। 35ପୁଣି, ସେହି ସ୍ଥାନର ଲୋକମାନେ ତାହାଙ୍କୁ ଚିହ୍ନି ସେଥିର ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳକୁ ସମ୍ବାଦ ପଠାଇଲେ ଏବଂ ଲୋକେ ସମସ୍ତ ରୋଗୀଙ୍କୁ ତାହାଙ୍କ ନିକଟକୁ ଆଣିଲେ; 36ଆଉ, ସେମାନେ ଯେପରି କେବଳ ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଛୁଇଁଲେ ସମସ୍ତେ ସୁସ୍ଥ ହେଲେ।

Valgt i Øjeblikket:

ମାଥିଉ 14: IRVOry

Markering

Kopiér

Sammenlign

Del

None

Vil du have dine markeringer gemt på tværs af alle dine enheder? Tilmeld dig eller log ind