Skip to content
Logo Aplikacije Biblija

ପ୍ରେରିତ 4

4
ମହାସଭା ସମ୍ମୁଖରେ ପିତର ଓ ଯୋହନ
1ପିତର ଓ ଯୋହନ ଲୋକମାନଙ୍କୁ କଥା କହୁଥିବା ସମୟରେ ଯାଜକମାନେ ମନ୍ଦିର ପ୍ରହରୀଦଳର ଅଧ୍ୟକ୍ଷ ଏବଂ ସାଦ୍ଦୂକୀମାନେ ସେମାନଙ୍କ ନିକଟକୁ ଆସିଲେ। 2ସେମାନେ ଅତିଶୟ ଉଦ୍‌ବିଗ୍ନ ହୋଇଥିଲେ, କାରଣ ପ୍ରେରିତ-ଶିଷ୍ୟମାନେ ଲୋକମାନଙ୍କୁ ଶିକ୍ଷା ଦେଇ ଯୀଶୁଙ୍କର ପୁନରୁତ୍ଥାନ ହେତୁ ମୃତଲୋକଙ୍କର ପୁନରୁତ୍ଥାନ ଅଛି ବୋଲି ଘୋଷଣା କରୁଥିଲେ। 3ସେମାନେ ପିତର ଓ ଯୋହନଙ୍କୁ ଗିରଫ କଲେ, ସେତେବେଳକୁ ସନ୍ଧ୍ୟା ହୋଇ ଯାଇଥିବାରୁ, ପରବର୍ତ୍ତୀ ଦିନ ପର୍ଯ୍ୟନ୍ତ ସେମାନଙ୍କୁ କାରାଗାରରେ ରଖିଲେ। 4କିନ୍ତୁ ପ୍ରଚାରିତ ବାର୍ତ୍ତା ଶୁଣିଥିବା ଲୋକଙ୍କ ମଧ୍ୟରୁ ଅନେକେ ବିଶ୍ୱାସ କଲେ; ଏବଂ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ପାଞ୍ଚହଜାର ହେଲା।
5ପରଦିନ ଅଧ୍ୟକ୍ଷ, କୁଳବୃଦ୍ଧ ଏବଂ ଶାସ୍ତ୍ରଜ୍ଞମାନେ ଯିରୂଶାଲମରେ ଏକତ୍ର ହେଲେ। 6ମହାଯାଜକ ହାନାନ୍, ଓ କୟାଫା ଯୋହନ, ଆଲେକ୍‌ଜାଣ୍ଡର ଏବଂ ମହାଯାଜକଙ୍କ ପରିବାରର ଅନ୍ୟାନ୍ୟ ଲୋକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। 7ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ସମ୍ମୁଖକୁ ଅଣାଇ ପ୍ରଶ୍ନ ପଚାରିବାକୁ ଲାଗିଲେ: “ତୁମେମାନେ କେଉଁ ଶକ୍ତିରେ ଅବା କାହାର ନାମରେ ଏହା କରିଅଛ?”
8ତତ୍ପରେ ପିତର, ପବିତ୍ରଆତ୍ମରେ ପୂର୍ଣ୍ଣ ହୋଇ, ସେମାନଙ୍କୁ କହିଲେ: “ହେ ଇସ୍ରାଏଲର ଅଧ୍ୟକ୍ଷ ଓ କୁଳବୃଦ୍ଧଗଣ! 9ଜଣେ ଖଞ୍ଜ ଲୋକ ପ୍ରତି ଏକ ଦୟାର କାର୍ଯ୍ୟ କରାଯାଇଥିବାରୁ ଆଜି ଯଦି ଆମକୁ କୈଫିୟତ ଦେବାକୁ କୁହାଯାଏ ଓ ସେ କିପରି ସୁସ୍ଥ ହେଲା ତାହାର ଉତ୍ତର ଦେବାକୁ ପଡ଼େ, 10ତେବେ, ଆପଣମାନେ ଓ ଇସ୍ରାଏଲବାସୀ ସମସ୍ତେ ଏହା ଜାଣି ରଖନ୍ତୁ ଯେ: ନାଜରିତର ଯେଉଁ ଯୀଶୁଖ୍ରୀଷ୍ଟଙ୍କୁ ଆପଣମାନେ କ୍ରୁଶରେ ବଧ କଲେ, କିନ୍ତୁ ଯାହାଙ୍କୁ ଈଶ୍ୱର ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ ନାମରେ ହିଁ ଏହି ଲୋକଟି ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଆପଣମାନଙ୍କ ସମ୍ମୁଖରେ ଠିଆ ହୋଇଛି। 11ସେ ହେଉଛନ୍ତି,
“ ‘ସେହି ପ୍ରସ୍ତର ଯାହାକୁ ତୁମେ ନିର୍ମାଣକାରୀମାନେ ଅଗ୍ରାହ୍ୟ କଲ,
ଯାହାକି କୋଣର ପ୍ରଧାନ ପ୍ରସ୍ତର ହେଲା।’
12ତାହାଙ୍କ ଛଡ଼ା ଆଉ କାହାରିଠାରେ ପରିତ୍ରାଣ ନାହିଁ, କାରଣ ଆକାଶମଣ୍ଡଳ ତଳେ ମନୁଷ୍ୟମାନଙ୍କୁ ଅନ୍ୟ କୌଣସି ନାମ ଦିଆଯାଇ ନାହିଁ ଯେଉଁ ନାମ ଦ୍ଵାରା ଆମେ ପରିତ୍ରାଣ ଲାଭ କରିପାରୁ।”
13ସେମାନେ ପିତର ଓ ଯୋହନଙ୍କର ନିର୍ଭୀକତା ଦେଖି ଓ ସେମାନେ ଯେ ଅଶିକ୍ଷିତ, ଓ ସାଧାରଣ ଲୋକ ତାହା ଜାଣି ଆଶ୍ଚର୍ୟ୍ୟାନ୍ୱିତ ହେଲେ, ପୁଣି ଏମାନେ ଯେ ଯୀଶୁଙ୍କ ସଙ୍ଗରେ ରହିଥିଲେ ସେମାନେ ତାହା ବୁଝି ପାରିଲେ। 14କିନ୍ତୁ ସୁସ୍ଥ ହୋଇଥିବା ଲୋକଟି ପିତର ଓ ଯୋହନଙ୍କ ସହିତ ସେଠାରେ ଠିଆ ହୋଇଥିବାର ସେମାନେ ଦେଖୁଥିବାରୁ, ସେମାନଙ୍କର କିଛି କହିବାର ବାଟ ନ ଥିଲା। 15ତେଣୁ ସେମାନଙ୍କୁ ମହାସଭାରୁ ବାହାରି ଯିବାକୁ ଆଦେଶ ଦେଇ ସେମାନେ ପରସ୍ପର ମଧ୍ୟରେ ବିଚାର ଆଲୋଚନା କଲେ। 16ସେମାନେ କହିଲେ, “ଏହି ଲୋକଗୁଡ଼ାଙ୍କ ବିଷୟରେ ଆମେ କଅଣ କରିବା? ଯିରୂଶାଲମରେ ବାସ କରୁଥିବା ସମସ୍ତେ ଜାଣନ୍ତି ଯେ ଏମାନେ ଏକ ଅସାଧାରଣ ଅଲୌକିକ କର୍ମ କରିଛନ୍ତି, ଓ ଆମେ ତ ତାହା ଅସ୍ୱୀକାର କରିପାରିବା ନାହିଁ। 17ମାତ୍ର ଲୋକଙ୍କ ମଧ୍ୟରେ ଏହା ଯେପରି ଆଉ ଅଧିକ ବ୍ୟାପୀ ନ ଯାଏ, ସେଥିପାଇଁ ଏହି ନାମରେ ଆଉ କେବେ କାହାରିକୁ କୌଣସି କଥା ନ କହିବାକୁ ଆମେ ଏମାନଙ୍କୁ ସାବଧାନ କରାଇଦେବା।”
18ଏଉତ୍ତାରେ ସେମାନେ ପିତର ଓ ଯୋହନଙ୍କୁ ପୁନର୍ବାର ଭିତରକୁ ଡାକି ଯୀଶୁଙ୍କ ନାମରେ ଆଦୌ କିଛି ନ କହିବାକୁ ବା ଶିକ୍ଷା ନ ଦେବାକୁ ସତର୍କ କରାଇଲେ। 19କିନ୍ତୁ ପିତର ଓ ଯୋହନ ଉତ୍ତର ଦେଲେ, “ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ଅପେକ୍ଷା: ଆପଣମାନଙ୍କର ଆଜ୍ଞା ପାଳନ କରିବା, ଈଶ୍ୱରଙ୍କ ଦୃଷ୍ଟିରେ ବିହିତ କି ନୁହେଁ, ତାହା ଆପଣମାନେ ନିଜେ ବିଚାର କରନ୍ତୁ! 20କାରଣ ଆମେ, ଯାହା ଦେଖୁଛୁ ଓ ଶୁଣିଛୁ ତାହା ନ କହି ରହି ପାରିବା ନାହିଁ।”
21ଆହୁରି ଅଧିକ ଧମକ ଦେବା ପରେ ସେମାନେ ପ୍ରେରିତ-ଶିଷ୍ୟ ଦ୍ଵୟଙ୍କୁ ଛାଡ଼ିଦେଲେ। ଏମାନଙ୍କୁ କିପରି ଶାସ୍ତି ଦିଆଯିବ ତାହା ସେମାନେ ସ୍ଥିର କରିପାରିଲେ ନାହିଁ, କାରଣ ଯେଉଁ ଘଟଣା ଘଟିଥିଲା ତାହା ଦେଖି ଲୋକସମସ୍ତେ ଈଶ୍ୱରଙ୍କ ସ୍ତୁତିବାଦ କରୁଥିଲେ। 22ଯେହେତୁ ଆଶ୍ଚର୍ଯ୍ୟ ଭାବରେ ସୁସ୍ଥ ହୋଇଥିବା ଲୋକଟିର ବୟସ ଚାଳିଶ ବର୍ଷରୁ ଊର୍ଦ୍ଧ୍ୱ ଥିଲା।
ବିଶ୍ୱାସୀମାନଙ୍କର ମିଳିତ ପ୍ରାର୍ଥନା
23ମୁକ୍ତି ପାଇବା ପରେ, ପିତର ଓ ଯୋହନ ନିଜ ଲୋକମାନଙ୍କ ନିକଟକୁ ଫେରିଗଲେ ଓ ପ୍ରଧାନ ଯାଜକମାନେ ଏବଂ କୁଳବୃଦ୍ଧମାନେ ସେମାନଙ୍କୁ ଯାହା ଯାହା କହିଥିଲେ ସେସବୁ ଜଣାଇଲେ। 24ଏହା ଶୁଣି ସେମାନେ, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ମିଳିତଭାବେ ସ୍ଵର ଉତ୍ତ୍ୱଳନ କରି ପ୍ରାର୍ଥନା କଲେ, “ହେ ପରାତ୍ପର ପ୍ରଭୁ, ତୁମ୍ଭେ ଆକାଶ ଓ ପୃଥିବୀ ତଥା ସାଗର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଛ। 25ତୁମ୍ଭେ ଆପଣା ଦାସ ଓ ଆମର ପିତୃପୁରୁଷ, ଦାଉଦଙ୍କ ମୁଖରେ ପବିତ୍ରଆତ୍ମାଙ୍କ ଦ୍ଵାରା ଏହା କହିଅଛି:
“ ‘କାହିଁକି ଜାତିବର୍ଗ କ୍ରୋଧାନ୍ୱିତ ହୁଅନ୍ତି
ଓ ଲୋକମାନେ ବୃଥାରେ ଚକ୍ରାନ୍ତ କରନ୍ତି?
26ପ୍ରଭୁଙ୍କ ବିରୁଦ୍ଧରେ
ଓ ତାହାଙ୍କ ଅଭିଷିକ୍ତଙ୍କ ବିରୁଦ୍ଧରେ
ପୃଥିବୀର ରାଜାମାନେ ଉଠିଛନ୍ତି
ଓ ଶାସକବର୍ଗ ମେଣ୍ଟ ବାନ୍ଧିଛନ୍ତି।’
27ପ୍ରକୃତରେ ହେରୋଦ ଓ ପନ୍ତୀୟ ପୀଲାତ ଏକାଠି ହୋଇ ଅଣଯିହୁଦୀ ତଥା ଇସ୍ରାଏଲର ଲୋକମାନଙ୍କ ସହିତ ମିଶି ଯାହାଙ୍କୁ ତୁମ୍ଭେ ଅଭିଷିକ୍ତ କରିଛ, ତୁମ୍ଭର ସେହି ପବିତ୍ର ସେବକ ଯୀଶୁଙ୍କ ବିରୁଦ୍ଧରେ ଏହି ନଗରରେ ଷଡ଼ଯନ୍ତ୍ର କଲେ। 28ସେମାନେ ଯାହା କଲେ ତାହା ଘଟିବ ବୋଲି ତୁମ୍ଭର ଶକ୍ତି ଓ ସଂକଳ୍ପ ଦ୍ଵାରା ପୂର୍ବରୁ ସ୍ଥିରୀକୃତ ହୋଇଥିଲା। 29ହେ ପ୍ରଭୁ, ଏବେ ସେମାନଙ୍କର ଧମକ ଚମକ ଦେଖ, ଏବଂ ସାହସ ସହକାରେ ତୁମ୍ଭ ବାକ୍ୟ କହିବାକୁ ତୁମ୍ଭ ଦାସମାନଙ୍କୁ ସାମର୍ଥ୍ୟ ଦିଅ। 30ତୁମ୍ଭର ପବିତ୍ର ସେବକ ଯୀଶୁଙ୍କ ନାମରେ ନାନାଦି ଚିହ୍ନ ଓ ଅଲୌକିକ କର୍ମ ସାଧନ କରିବାକୁ ତୁମ୍ଭେ ଆପଣା ହସ୍ତ ବିସ୍ତାର କର।”
31ସେମାନେ ପ୍ରାର୍ଥନା କରିବାପରେ, ଯେଉଁଠାରେ ସମବେତ ହୋଇଥିଲେ ସେହି ସ୍ଥାନ କମ୍ପି ଉଠିଲା। ପୁଣି ସେମାନେ ସମସ୍ତେ ପବିତ୍ରଆତ୍ମରେ ପୂର୍ଣ୍ଣ ହୋଇ ନିର୍ଭୀକ ଭାବରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କଲେ।
32ସବୁ ବିଶ୍ୱାସୀ ମନପ୍ରାଣରେ ଏକ ଥିଲେ। କେହି ନିଜର କୌଣସି ସମ୍ପତ୍ତିକୁ ନିଜସ୍ଵ ବୋଲି ମନେ କରୁ ନ ଥିଲେ, କିନ୍ତୁ ସେମାନଙ୍କର ଯାହାକିଛି ଥିଲା ସମସ୍ତେ ସେଥିରେ ଭାଗୀ ହେଉଥିଲେ। 33ପ୍ରେରିତ ଶିଷ୍ୟମାନେ ମହାଶକ୍ତିରେ ପ୍ରଭୁ ଯୀଶୁଙ୍କର ପୁନରୁତ୍ଥାନ ବିଷୟ ସାକ୍ଷ୍ୟ ଦେବାକୁ ଲାଗିଲେ। ଓ ସେମାନଙ୍କ ଉପରେ ମହା ଅନୁଗ୍ରହ ରହିଥିଲା 34ସେମାନଙ୍କ ମଧ୍ୟରେ ଅଭାବଗ୍ରସ୍ତ କେହି ନ ଥିଲା। କାରଣ ଯେଉଁମାନଙ୍କର ଭୂସମ୍ପତ୍ତି ବା ଗୃହ ଆଦି ଥିଲା ସେମାନେ ତାହା ବିକ୍ରୟ କରି, ବିକ୍ରୀ ଧନ ଆଣୁଥିଲେ 35ଏବଂ ତାହା ନେଇ ପ୍ରେରିତଶିଷ୍ୟମାନଙ୍କ ପାଦତଳେ ରଖୁଥିଲେ, ଓ ଯାହାର ଯେପରି ପ୍ରୟୋଜନ ଥିଲା ତଦନୁସାରେ ବିତରଣ କରାଯାଉଥିଲା।
36ଯୋସେଫ ନାମକ ଜଣେବ୍ୟକ୍ତି ଥିଲେ, ସେ ଲେବୀବଂଶଜ ଓ ସାଇପ୍ରସ୍‌ର ଅଧିବାସୀ ଥିଲେ, ତାଙ୍କୁ ପ୍ରେରିତ ଶିଷ୍ୟମାନେ ବର୍ଣ୍ଣବା ନାମ ଦେଇଥିଲେ (ଏହାର ଅର୍ଥ “ସାନ୍ତ୍ଵନାର ପୁତ୍ର”), 37ସେ ନିଜର ଖଣ୍ଡେଜମି ବିକ୍ରୟ କରି ସେହି ଅର୍ଥ ଆଣି ପ୍ରେରିତଶିଷ୍ୟମାନଙ୍କ ପାଦତଳେ ଥୋଇଲେ।