Skip to content
ബൈബിൾ ആപ്പ് ലോഗോ

ରୋମୀୟ 9

9
ଈଶ୍ୱରଙ୍କ ମନୋନୀତ ଇସ୍ରାଏଲ
1ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଛି ମିଥ୍ୟା କହୁ ନାହିଁ, ମୋର ବିବେକ ପବିତ୍ରଆତ୍ମାଙ୍କ ସାକ୍ଷାତରେ ଏହା ଅନୁମୋଦନ କରୁଛି ଯେ 2ମୋର ହୃଦୟରେ ଗଭୀର ଦୁଃଖ ଓ ଅବିରତ ବ୍ୟଥା ରହିଛି। 3କାରଣ ମୋର ସ୍ଵଜାତୀୟ ଭାଇମାନଙ୍କ ଅର୍ଥାତ୍ ଇସ୍ରାଏଲୀୟମାନଙ୍କ ସକାଶେ ମୁଁ ନିଜେ ଅଭୀଶପ୍ତ ହେବାକୁ ଇଚ୍ଛା କରନ୍ତି, ଓ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହେବାକୁ ଇଚ୍ଛା କରନ୍ତି। 4ପୁତ୍ରତ୍ଵର ଅଧିକାର ସେମାନଙ୍କର; ଈଶ୍ୱରଙ୍କ ମହିମା, ଚୁକ୍ତିସମୂହ ସେମାନଙ୍କର, ପ୍ରଦତ୍ତ ବିଧିବ୍ୟବସ୍ଥା, ମନ୍ଦିର ଉପାସନା ଏବଂ ପ୍ରତିଜ୍ଞାସମୂହ ସେମାନଙ୍କର। 5ପିତୃପ୍ରଧାନମାନେ, ସେମାନଙ୍କର ଓ ମନୁଷ୍ୟଭାବେ ସେମାନଙ୍କ କୁଳରୁ ଖ୍ରୀଷ୍ଟଙ୍କ ଉଦ୍ଭବ, ସେହି ସର୍ବାଧିପତି ଈଶ୍ୱର ଯୁଗେ ଯୁଗେ ଧନ୍ୟ! ଆମେନ୍।
6ଈଶ୍ୱରଙ୍କ ବାକ୍ୟ ଯେ ବିଫଳ ହୋଇଛି ତା ନୁହେଁ। କାରଣ ଇସ୍ରାଏଲ ବଂଶରୁ ଜାତ ସମସ୍ତେ ଇସ୍ରାଏଲୀୟ ନୁହନ୍ତି। 7ଅଥବା ଅବ୍ରହାମଙ୍କ ବଂଶଧର ହୋଇଥିବାରୁ ସମସ୍ତେ ଅବ୍ରହାମଙ୍କ ସନ୍ତାନ ନୁହନ୍ତି। ଅନ୍ୟ ପକ୍ଷରେ, “ଇସ୍‌ହାକ୍ ଦ୍ଵାରା ତୁମର ବଂଶ ଖ୍ୟାତ ହେବ।” 8ଏହାର ଅର୍ଥ, ସ୍ୱଭାବିକଭାବେ ଜାତ ସନ୍ତାନମାନେ ଯେ ଈଶ୍ୱରଙ୍କ ସନ୍ତାନ ତା ନୁହେଁ, ମାତ୍ର ପ୍ରତିଜ୍ଞା ହେତୁ ଜାତ ସନ୍ତାନମାନେ ଅବ୍ରହାମଙ୍କ ବଂଶ ରୂପେ ବିବେଚିତ ହୁଅନ୍ତି। 9କାରଣ ପ୍ରତିଜ୍ଞାବାକ୍ୟ ଏହି ପ୍ରକାରେ ବ୍ୟକ୍ତ କରେ: “ନିରୂପିତ ସମୟରେ ମୁଁ ପୁନର୍ବାର ଆସିବି, ସେତେବେଳେ ସାରାର କୋଳରେ ପୁଅଟିଏ ଥିବ।”
10କେବଳ ସେତିକି ନୁହେଁ, କିନ୍ତୁ ରେବେକାଙ୍କ ସନ୍ତାନମାନଙ୍କର ପିତା ଜଣେ ଓ ସମାନ ବ୍ୟକ୍ତି ଥିଲେ ସେ ଆମର ପିତୃପୁରୁଷ ଇସ୍‌ହାକ୍। 11ଅଥଚ, ସେହି ଯମଜ ସନ୍ତାନମାନେ ଜନ୍ମ ହେବା ପୂର୍ବରୁ କିମ୍ବା ଭଲ କି ମନ୍ଦ କୌଣସି କାର୍ଯ୍ୟ କରିବା ପୂର୍ବରୁ ରିବିକା ଙ୍କୁ କୁହାଯାଇଥିଲା ଜ୍ୟେଷ୍ଠ କନିଷ୍ଠର ଦାସ ହେବ; 12ତେଣୁ ଏହା କର୍ମ ଦ୍ଵାରା ନୁହେଁ ମାତ୍ର ଯେ ଆହ୍ଵାନ କରନ୍ତି, ସେହି ଈଶ୍ୱରଙ୍କ ଦ୍ଵାରା ହୁଏ “ଯେପରି ତାହାଙ୍କର ମନୋନୟନର ଉଦ୍ଦେଶ୍ୟ ଅଟଳ ରହିବ।” 13ସେଥିପାଇଁ ଏହିପରି ଲେଖାଅଛି: “ମୁଁ ଯାକୁବକୁ ପ୍ରେମ କଲି, କିନ୍ତୁ ଏଷୌକୁ ତୁଚ୍ଛ କଲି।”
14ତେବେ ଆମେ କଅଣ କହିବା? ଈଶ୍ୱର କଅଣ ଅନ୍ୟାୟ କରନ୍ତି? କଦାପି ନୁହେଁ! 15କାରଣ ସେ ମୋଶାଙ୍କୁ କହିଥିଲେ,
“ଯାହା ପ୍ରତି ମୋର ଦୟା ଅଛି ତାହାକୁ ମୁଁ ଦୟା କରିବି,
ଏବଂ ଯାହା ପ୍ରତି ମୋର କରୁଣା ଅଛି ତାହାକୁ କରୁଣା କରିବି।”
16ସେଥିପାଇଁ, ଏହା ମନୁଷ୍ୟର ଇଚ୍ଛା, ବା ଚେଷ୍ଟା ଉପରେ ନିର୍ଭର କରେ ନାହିଁ, ମାତ୍ର ଈଶ୍ୱରଙ୍କ ଦୟା ଉପରେ ନିର୍ଭର କରେ। 17କାରଣ ଧର୍ମଶାସ୍ତ୍ର ଫାରୋଙ୍କୁ ଏହା କହେ: “ମୁଁ ଯେପରି ମୋର ପରାକ୍ରମ ତୁମଠାରେ ପ୍ରଦର୍ଶନ କରିପାରେ, ଓ ମୋର ନାମ ଯେପରି ସମଗ୍ର ପୃଥିବୀରେ ଘୋଷିତ ହୁଏ ଏହି ଉଦ୍ଦେଶ୍ୟରେ ମୁଁ ତୁମର ଉତ୍‌ଥାନ କରିଛି।” 18ଅତଏବ ଯାହାକୁ ଇଚ୍ଛା ଈଶ୍ୱର ତାକୁ ଦୟା କରନ୍ତି, ଏବଂ ଯାହାକୁ ଇଚ୍ଛା ତାହାକୁ କଠିନମନା କରନ୍ତି।
19ତୁମ୍ଭମାନଙ୍କମଧ୍ୟରୁ କେହି ହୁଏତ ମୋତେ କହିବ: “ତେବେ ଈଶ୍ୱର ଆଉ କାହିଁକି ଆମ୍ଭମାନଙ୍କୁ ଦୋଷ ଦିଅନ୍ତି? କାରଣ ତାହାଙ୍କର ଇଚ୍ଛାକୁ କିଏ ପ୍ରତିରୋଧ କରିପାରେ?” 20କିନ୍ତୁ, ହେ ମନୁଷ୍ୟ, ଈଶ୍ୱରଙ୍କୁ ଉତ୍ତର ଦେବାକୁ ତୁମେ କିଏ? “ନିର୍ମିତ ବସ୍ତୁ କଣ ନିର୍ମାତାକୁ କହିବ, ‘କାହିଁକି ମୋତେ ଏପରି ଗଢ଼ିଲ?’ ” 21ସମାନ ମାଟିପିଣ୍ଡୁଳାରୁ ଗୋଟିଏ ପାତ୍ର ସୌନ୍ଦର୍ଯ୍ୟ ନିମନ୍ତେ ଓ ଅନ୍ୟ ଗୋଟିଏ ସାଧାରଣ ବ୍ୟବହାର ନିମନ୍ତେ ଗଢ଼ିବାକୁ କୁମ୍ଭକାରର କଣ ଅଧିକାର ନାହିଁ?
22ଈଶ୍ୱର ଯଦି, ନିଜର କ୍ରୋଧ ପ୍ରଦର୍ଶନ କରିବାକୁ ଓ ସ୍ଵପରାକ୍ରମ ପ୍ରକାଶ କରିବାକୁ ଇଚ୍ଛା କରି ସୁଦ୍ଧା ବିନାଶଯୋଗ୍ୟ କ୍ରୋଧପାତ୍ରମାନଙ୍କ ପ୍ରତି ଅପାର ସହିଷ୍ଣୁତା ଅବଲମ୍ବନ କଲେ, ତେବେ ସେଥିରେ କଣ ହେଲା? 23ସେ ଯଦି ତାହାଙ୍କର ଦୟା ପାତ୍ରମାନଙ୍କ ନିକଟରେ ଆପଣା ଗୌରବର ନିଧି ପ୍ରକାଶ କରିବାକୁ ଏହା କଲେ, ତେବେ କଅଣ ହେଲା; 24ଆମେ, ହେଉଛୁ ସେହି ଦୟାରପାତ୍ରମାନେ, ଯେଉଁମାନଙ୍କୁ ସେ କେବଳ ଯିହୁଦୀମାନଙ୍କ ମଧ୍ୟରୁ ନୁହେଁ ମାତ୍ର ଅଣଯିହୁଦୀମାନଙ୍କ ମଧ୍ୟରୁ ସୁଦ୍ଧା ଆହ୍ଵାନ କଲେ? 25ସେ ହୋଶେୟ ପୁସ୍ତକରେ ଏହିପରି କହିଛନ୍ତି:
“ଯେଉଁମାନେ ମୋର ଲୋକ ନ ଥିଲେ; ମୁଁ ସେମାନଙ୍କୁ ‘ମୋର ଲୋକ’ ବୋଲି ଡାକିବି
ପୁଣି ଯେ ମୋର ପ୍ରେମପାତ୍ରୀ ନ ଥିଲା, ତାକୁ ‘ମୋର ପ୍ରେମପାତ୍ରୀ’ ବୋଲି ଡାକିବି,”
26ଏବଂ,
“ଏପରି ହେବ ଯେ ଯେଉଁ ସ୍ଥାନରେ ସେମାନଙ୍କୁ,
‘ତୁମ୍ଭେମାନେ ମୋର ଲୋକ ନୁହଁ ବୋଲି କୁହାଯାଉଥିଲା,’
ସେହି ସ୍ଥାନରେ ସେମାନଙ୍କୁ ‘ନିତ୍ୟଜୀବୀ ଈଶ୍ୱରଙ୍କ ସନ୍ତାନ ବୋଲି କୁହାଯିବ।’ ”
27ଯିଶାଇୟ ଇସ୍ରାଏଲ ସମ୍ବନ୍ଧରେ ଉଚ୍ଚସ୍ଵରରେ ଘୋଷଣା କରି କହୁଛନ୍ତି:
“ଇସ୍ରାଏଲୀୟମାନଙ୍କ ସଂଖ୍ୟା ସମୁଦ୍ରତୀରସ୍ଥ ବାଲୁକା ପରି ହେଲେ ସୁଦ୍ଧା,
କେବଳ ଅବଶିଷ୍ଟ କେତେକ ପରିତ୍ରାଣ ପାଇବେ।
28କାରଣ ପ୍ରଭୁ ପୃଥିବୀ ଉପରେ
ତାହାଙ୍କ ଦଣ୍ଡାଜ୍ଞା ଶୀଘ୍ର ଓ ଚୂଡ଼ାନ୍ତ ଭାବେ କାର୍ଯ୍ୟକାରୀ କରିବେ।”
29ଯିଶାଇୟ ଠିକ ଏହିପରି ପୂର୍ବେ କହିଛନ୍ତି:
“ସର୍ବଶକ୍ତିମାନ ପ୍ରଭୁ
ଆମ ପାଇଁ ସନ୍ତାନସନ୍ତତି ରଖି ନ ଥିଲେ,
ଆମେ ସଦୋମ ପରି ହୋଇଥାଆନ୍ତୁ,
ଓ ଗମୋରା ପରି ହୋଇଥାଆନ୍ତୁ।”
ଇସ୍ରାଏଲର ଅବିଶ୍ୱାସ
30ତେବେ ଆମେ କଅଣ କହିବା? ଯେ ଯେଉଁ ଅଣଯିହୁଦୀମାନେ, ଧାର୍ମିକତାର ଅନୁଗାମୀ ନ ଥିଲେ, ସେମାନେ ଏହା, ଅର୍ଥାତ୍ ବିଶ୍ୱାସଜନିତ ଧାର୍ମିକତା ଲାଭ କରିଛନ୍ତି; 31କିନ୍ତୁ ଯେଉଁ ଇସ୍ରାଏଲ ଜାତି, ଧାର୍ମିକତା ମୂଳକ ବ୍ୟବସ୍ଥାର ଅନୁଗାମୀ ଥିଲା, ତାହା ଲାଭକରି ନାହିଁ। 32କାହିଁକି କରି ନାହିଁ? କାରଣ ସେମାନେ ବିଶ୍ୱାସ ଦ୍ଵାରା ଧାର୍ମିକତାର ଅନୁଗାମୀ ହେଲେ ନାହିଁ। ମାତ୍ର ସତେ ଯେପରି ତାହା କ୍ରିୟାକର୍ମ ଉପରେ ଆଧାରିତ ତାହା ମନେ କଲେ ସେମାନେ ବାଧାଜନକ ପ୍ରସ୍ତର ଉପରେ ଝୁଣ୍ଟି ପଡ଼ିଲେ। 33କାରଣ ଏହିପରି ଲେଖାଅଛି:
“ଦେଖ, ମୁଁ ସିୟୋନରେ ଏପରି ଏକ ପ୍ରସ୍ତର ସ୍ଥାପନ କରୁଛି ଯାହା ମନୁଷ୍ୟମାନଙ୍କ ଝୁଣ୍ଟିବାର କାରଣ ହେବ
ଏବଂ ଏକ ଶିଳା ସ୍ଥାପନ କରୁଛି ଯାହା ସେମାନଙ୍କ ପତନର କାରଣ ହେବ,
କିନ୍ତୁ ଯିଏ ତାହାଙ୍କଠାରେ ବିଶ୍ୱାସ କରେ ସେ କଦାପି ଲଜ୍ଜିତ ହେବ ନାହିଁ।”