Skip to content
ബൈബിൾ ആപ്പ് ലോഗോ

ରୋମୀୟ 4

4
ବିଶ୍ୱାସ ଦ୍ଵାରା ଅବ୍ରହାମ ଧାର୍ମିକ ଗଣିତ ହେଲେ
1ତା ହେଲେ ଆମ ପିତୃପୁରୁଷ ଅବ୍ରହାମ, କ୍ରିୟାକର୍ମ ଦ୍ଵାରା କଅଣ ପାଇଥିଲେ ବୋଲି ଆମେ କହିବା? 2ପ୍ରକୃତରେ, ଅବ୍ରହାମ ଯଦି କ୍ରିୟାକର୍ମ ଦ୍ଵାରା ଧାର୍ମିକ ଗଣିତ ହେଲେ, ତେବେ ଗର୍ବ କରିବାକୁ ତାଙ୍କର କାରଣ ଥିଲା, କିନ୍ତୁ ଈଶ୍ୱରଙ୍କ ସାକ୍ଷାତରେ ନୁହେଁ। 3ଧର୍ମଶାସ୍ତ୍ର କଅଣ କହେ? “ଅବ୍ରହାମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ, ଏବଂ ଏହା ତାଙ୍କର ଧାର୍ମିକତା ବୋଲି ଗଣିତ ହେଲା।”
4କୌଣସି ଲୋକ ଯେତେବେଳେ କାର୍ଯ୍ୟ କରେ, ତାହାର ବେତନ ତା ପାଇଁ ଦାନ ବୋଲି ଧରାଯାଏ ନାହିଁ ମାତ୍ର ତାହା ତାହାର ପ୍ରାପ୍ୟ ବୋଲି ଧରାଯାଏ। 5କିନ୍ତୁ, ଯେଉଁ ମନୁଷ୍ୟ କ୍ରିୟାକର୍ମ ଉପରେ ନିର୍ଭର ନ କରି ଯେ ଅଧାର୍ମିକକୁ ଧାର୍ମିକ ଗଣ୍ୟ କରନ୍ତି, ସେହି ଈଶ୍ୱରଙ୍କଠାରେ ବିଶ୍ୱାସ କରେ ତାହାର ବିଶ୍ୱାସ ହିଁ ଧାର୍ମିକତା ବୋଲି ଗଣ୍ୟ ହୁଏ। 6ବିନା କ୍ରିୟାକର୍ମରେ ଯେଉଁ ମନୁଷ୍ୟକୁ ଈଶ୍ୱର ଧାର୍ମିକ ଗଣ୍ୟ କରନ୍ତି ତାହାର ଆଶୀର୍ବାଦ ପ୍ରାପ୍ତି ବିଷୟରେ ଦାଉଦ ଠିକ ସେହି କଥା ଏହିପରି କହିଛନ୍ତି:
7“ଯେଉଁମାନଙ୍କର ଦୋଷସବୁ କ୍ଷମା ହୋଇଛି
ଯେଉଁମାନଙ୍କର ପାପସବୁ ଆଚ୍ଛାଦିତ ହୋଇଛି,
ସେମାନେ ଧନ୍ୟ।
8ପ୍ରଭୁ ଯାହାର ପାପ କେବେ ଗଣନା କରିବେ ନାହିଁ,
ସେହି ମନୁଷ୍ୟ ଧନ୍ୟ।”
9ଏହି ଆଶୀର୍ବାଦ କଅଣ କେବଳ ସୁନ୍ନତ ଲୋକଙ୍କ ପାଇଁ, ନା ଅସୁନ୍ନତ ଲୋକଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ? ଆମେ କହିଛୁ ଯେ ଅବ୍ରହାମଙ୍କର ବିଶ୍ୱାସ ତାଙ୍କ ପାଇଁ ଧାର୍ମିକତା ବୋଲି ଗଣିତ ହେଲା। 10ଏହା କେଉଁ ପରିସ୍ଥିତିରେ ଗଣ୍ୟ ହେଲା? ସେ ସୁନ୍ନତ ହେବା ପୂର୍ବରୁ, ନା ପରେ? ଏହା ସୁନ୍ନତ ହେବା ପୂର୍ବରୁ ହୋଇଥିଲା, ପରେ ନୁହେଁ! 11ପୁଣି ସେ ଅସୁନ୍ନତ ଅବସ୍ଥାରେ ଥିବା ସମୟରେ ହିଁ, ନିଜର ବିଶ୍ୱାସ ହେତୁ ଧାର୍ମିକତାର ମୁଦ୍ରାଙ୍କ ସ୍ଵରୂପେ ସୁନ୍ନତି ଚିହ୍ନ ପାଇଲେ। ଅତଏବ, ଯେଉଁମାନେ ସୁନ୍ନତ ହୋଇନାହାନ୍ତି, ଅଥଚ ବିଶ୍ୱାସ କରନ୍ତି, ସେ ସମସ୍ତଙ୍କର ପିତା ଅବ୍ରହାମ ଯେପରି ସେମାନେ ମଧ୍ୟ ଧାର୍ମିକ ଗଣିତ ହେବେ। 12ଯେଉଁମାନେ ସୁନ୍ନତ, ଅବ୍ରହାମ ସେମାନଙ୍କର ମଧ୍ୟ ପିତା କିନ୍ତୁ ସେମାନେ କେବଳ ସୁନ୍ନତ ହୋଇଥିବାରୁ ନୁହେଁ ମାତ୍ର ଅବ୍ରହାମ ସୁନ୍ନତ ହେବା ପୂର୍ବରୁ ଯେଉଁ ବିଶ୍ୱାସ ମାର୍ଗରେ ଚାଲିଥିଲେ, ତାହା ଅନୁସରଣ କରୁଥିବାରୁ ସେ ସେମାନଙ୍କର ପିତା।
13ଅବ୍ରହାମ ଓ ତାଙ୍କ ବଂଶ ଜଗତର ଅଧିକାରୀ ହେବେ ବୋଲି ସେ ଯେଉଁ ପ୍ରତିଜ୍ଞାବାକ୍ୟ ପାଇଥିଲେ, ତାହା ବିଧିବ୍ୟବସ୍ଥା ପାଳନ ହେତୁ ନୁହେଁ ମାତ୍ର ବିଶ୍ୱାସ ହେତୁ ଯେଉଁ ଧାର୍ମିକତା ମିଳେ ତାହା ଦ୍ଵାରା ପାଇଥିଲେ। 14କାରଣ କେବଳ ବିଧିବ୍ୟବସ୍ଥା ପାଳନକାରୀମାନେ ଯଦି ଅଧିକାରୀ ହୁଅନ୍ତି, ତେବେ ବିଶ୍ୱାସ ମୂଲ୍ୟହୀନ ଓ ପ୍ରତିଜ୍ଞା ବ୍ୟର୍ଥ ହୋଇଛି, 15ଯେହେତୁ ବିଧିବ୍ୟବସ୍ଥା ଈଶ୍ୱରଙ୍କ କ୍ରୋଧ ଜନ୍ମାଏ। କିନ୍ତୁ ଯେଉଁଠାରେ ବିଧିବ୍ୟବସ୍ଥା ନାହିଁ ସେଠାରେ ଆଜ୍ଞାଲଘଂନ ନାହିଁ।
16ଅତଏବ, ଏହି ପ୍ରତିଜ୍ଞା ବିଶ୍ୱାସ ଦ୍ଵାରା ହିଁ ମିଳେ, ଯେପରି ଏହା ଅନୁଗ୍ରହ ଦାନ ସ୍ଵରୂପେ ଅବ୍ରହାମଙ୍କର ସବୁ ବଂଶଧରଙ୍କୁ ନିଶ୍ଚିତ ରୂପେ ମିଳି ପାରିବ, କେବଳ ବିଧିବ୍ୟବସ୍ଥା ଅବଲମ୍ବନ କରୁଥିବା ଲୋକଙ୍କୁ ନୁହେଁ ମାତ୍ର ଅବ୍ରହାମଙ୍କ ପରି ବିଶ୍ୱାସ ଥିବା ଲୋକଙ୍କୁ ମଧ୍ୟ ମିଳି ପାରିବ। କାରଣ ସେ ଆମ ସମସ୍ତଙ୍କର ପିତା। 17ଯେହେତୁ ଏପରି ଲେଖାଅଛି: “ମୁଁ ତୁମକୁ ବହୁ ଜାତିର ପିତା କରିଛି।” ଯେଉଁ ଈଶ୍ୱରଙ୍କୁ ଅବ୍ରହାମ ବିଶ୍ୱାସ କଲେ, ତାହାଙ୍କ ଦୃଷ୍ଟିରେ ସେ ଆମ ସମସ୍ତଙ୍କର ପିତା, ସେହି ଈଶ୍ୱର ମୃତମାନଙ୍କୁ ସଜୀବ କରନ୍ତି ଓ ଅସ୍ତିତ୍ଵ ନ ଥିବା ବିଷୟଗୁଡ଼ିକୁ ଯେଉଁ ସମସ୍ତ ବିଷୟ ଭବିଷ୍ୟତ୍ ଗର୍ଭରେ ରହିଛି ସେଗୁଡ଼ିକୁ ଅସ୍ତିତ୍ଵ ଥିବା ପରି ଉଲ୍ଲେଖ କରନ୍ତି।
18କୌଣସି ଆଶା ନ ଥିଲେ ସୁଦ୍ଧା, ଅବ୍ରହାମ ଆଶା କରି ବିଶ୍ୱାସ କଲେ, ଏବଂ ତାଙ୍କୁ ଯେପରି କୁହାଯାଇଥିଲା, “ତୁମ ବଂଶଧର ଏହିପରି ହେବେ” ଠିକ ସେହିପରି ସେ ବହୁ ଜାତିର ପିତା ହେଲେ। 19ତାଙ୍କର ବୟସ ଏକ ଶତ ବର୍ଷ ହୋଇଥିବାରୁ, ନିଜର ଶରୀର ମୃତକଳ୍ପ ଓ ସାରାଙ୍କ ଗର୍ଭ ମଧ୍ୟ ମୃତ ବୋଲି ଜାଣି ସୁଦ୍ଧା ସେ ବିଶ୍ୱାସରେ ଦୁର୍ବଳ ହେଲେ ନାହିଁ। 20ଈଶ୍ୱରଙ୍କ ପ୍ରତିଜ୍ଞାକୁ ଅବିଶ୍ୱାସ କରି ସେ ସନ୍ଦିଗ୍‌ଧଚିତ୍ତ ହେଲେ ନାହିଁ, କିନ୍ତୁ ବିଶ୍ୱାସରେ ବଳିଷ୍ଠ ହୋଇ ଈଶ୍ୱରଙ୍କୁ ଗୌରବ ଦେଲେ, 21ଈଶ୍ୱର ଯାହା ପ୍ରତିଜ୍ଞା କରିଥିଲେ ତାହା ସାଧନ କରିବାକୁ ସେ ଯେ ସମର୍ଥ ଏହି ଦୃଢ଼ ପ୍ରତ୍ୟୟ ତାଙ୍କର ଥିଲା। 22ଏହି କାରଣରୁ ତାଙ୍କର ବିଶ୍ୱାସ ତାଙ୍କ ପକ୍ଷେ ଧାର୍ମିକତା ରୂପେ ଗଣ୍ୟ ହେଲା। 23“ତାଙ୍କ ପକ୍ଷେ ଗଣ୍ୟ ହେଲା,” ଏହି କଥା କେବଳ ତାଙ୍କ ପାଇଁ ଲିଖିତ ହୋଇ ନ ଥିଲା, 24ମାତ୍ର ଆମ ପାଇଁ, ଅର୍ଥାତ୍ ଯେଉଁମାନଙ୍କୁ ଈଶ୍ୱର ଧାର୍ମିକ ବୋଲି ଗଣ୍ୟ କରିବେ ଏବଂ ଆମର ପ୍ରଭୁଯୀଶୁଙ୍କୁ ଯେ ମୃତମାନଙ୍କ ମଧ୍ୟରୁ ଉଠାଇଲେ ତାହାଙ୍କଠାରେ ବିଶ୍ୱାସକାରୀମାନଙ୍କ ପାଇଁ ମଧ୍ୟ ଲିଖିତ ହୋଇଛି। 25ସେହି ଯୀଶୁ ଆମର ପାପ ପାଇଁ ମୃତ୍ୟଭୋଗ କରିବାକୁ ସମର୍ପିତ ହେଲେ ଏବଂ ଆମେ ଯେପରି ଧାର୍ମିକ ଗଣ୍ୟ ହେବୁ ଏଥିପାଇଁ ଉତ୍‌ଥାପିତ ହେଲେ।