Skip to content
ബൈബിൾ ആപ്പ് ലോഗോ

ରୋମୀୟ 2

2
ଈଶ୍ୱରଙ୍କ ନ୍ୟାୟବିଚାର
1ହେ ମନୁଷ୍ୟ, ତୁମେ ଅନ୍ୟର ବିଚାର କରୁଛ, ଅଥଚ ତୁମେ ଦୋଷମୁକ୍ତ ନୁହଁ, କାରଣ ଯେଉଁ ବିଷୟରେ ତୁମେ ଅନ୍ୟର ବିଚାର କରୁଛ, ତଦ୍ଦ୍ୱାରା ତୁମେ ନିଜକୁ ହିଁ ଦୋଷୀ କରୁଛ, ଯେହେତୁ ତୁମେ ଯେଉଁ ବିଷୟ ବିଚାର କରୁଛ, ନିଜେ ତ ଠିକ ସେହିସବୁ କରୁଛ। 2ଏହିପ୍ରକାର କର୍ମ କରୁଥିବା ଲୋକଙ୍କ ବିରୁଦ୍ଧରେ ଈଶ୍ୱରଙ୍କ ବିଚାର ଯେ ସତ୍ୟସଙ୍ଗତ ଏହା ଆମ୍ଭେମାନେ ଜାଣୁ। 3ଅତଏବ, ହେ ନଗଣ୍ୟ ମନୁଷ୍ୟ, ତୁମେ ଅନ୍ୟର ବିଚାର କରୁଛ ଅଥଚ ନିଜେ ସେହିସବୁ କରୁଛ, ତେବେ ତୁମେ କଅଣ ଈଶ୍ୱରଙ୍କ ନ୍ୟାୟ ବିଚାରରୁ ବର୍ତ୍ତିଯିବ ବୋଲି ମନେ କରୁଛ? 4ଅଥବା ତୁମେ କଅଣ ଈଶ୍ୱରଙ୍କ ଅପାର ଦୟା, ସହିଷ୍ଣୁତା ଓ ଧୈର୍ଯ୍ୟ ପ୍ରତି ଅବଜ୍ଞା ପ୍ରଦର୍ଶନ କରୁଛ, ଈଶ୍ୱରଙ୍କ ଦୟା ଯେ ତୁମକୁ ଅନୁତାପ କରିବା ଦିଗରେ ଚାଳିତ କରେ ଏହା କଅଣ ତୁମେ ଉପଲବ୍ଧି କରୁ ନାହଁ?
5କିନ୍ତୁ ତୁମର ଦାମ୍ଭିକତା ଯୋଗୁଁ ଓ ତୁମର ହୃଦୟ ଅନୁତାପ ରହିତ ହେବାରୁ, ତୁମେ ଈଶ୍ୱରଙ୍କ କ୍ରୋଧ ସଞ୍ଚୟ କରୁଛ, ସେହି ଦିନରେ ତାହାଙ୍କର ନ୍ୟାୟବିଚାର ପ୍ରକାଶିତ ହେବ। 6ଈଶ୍ୱର “ପ୍ରତ୍ୟେକ ଜଣକୁ ତାହାର କର୍ମ ଅନୁସାରେ ଫଳ ଦେବେ।” 7ଯେଉଁମାନେ ସତ୍‌କର୍ମରେ ବ୍ରତୀ ହୋଇ ଗୌରବ, ସମ୍ମାନ ଓ ଅମରତ୍ଵ ଅନ୍ୱେଷଣ କରନ୍ତି, ସେମାନଙ୍କୁ ସେ ଅନନ୍ତଜୀବନ ପ୍ରଦାନ କରିବେ। 8କିନ୍ତୁ ଯେଉଁମାନେ ସ୍ୱାର୍ଥାନ୍ୱେଷୀ ଏବଂ ସତ୍ୟକୁ ଅଗ୍ରାହ୍ୟ କରି ଅସତ୍‌ର ଅନୁଗାମୀ ହୁଅନ୍ତି, ସେମାନଙ୍କ ପାଇଁ କୋପ ଓ କ୍ରୋଧ ରହିବ। 9କୁକର୍ମ କରୁଥିବା ପ୍ରତ୍ୟେକ ମନୁଷ୍ୟ ପାଇଁ ଦୁଃଖ ଓ ଦୁର୍ଗତି ଆସିବ: ଆଗେ ଯିହୁଦୀ, ତା ପରେ ଗ୍ରୀକ ପାଇଁ; 10ମାତ୍ର ସତ୍କର୍ମ କରୁଥିବା ପ୍ରତ୍ୟେକ ଜଣ ପାଇଁ ଗୌରବ, ସମ୍ମାନ ଓ ଶାନ୍ତି ଆସିବ, ଆଗେ ଯିହୁଦୀ, ତା ପରେ ଗ୍ରୀକ। 11କାରଣ ଈଶ୍ୱର ପକ୍ଷପାତିତା କରନ୍ତି ନାହିଁ।
12ଯେଉଁମାନେ ବିଧିବ୍ୟବସ୍ଥା ରହିତ ହୋଇ ପାପ କରନ୍ତି ସେମାନେ ସମସ୍ତେ ବ୍ୟବସ୍ଥା ରହିତ ହୋଇ ବିନଷ୍ଟ ହେବେ ଏବଂ ଯେଉଁମାନେ ବିଧିବ୍ୟବସ୍ଥା ପ୍ରାପ୍ତ ହୋଇ ପାପ କରନ୍ତି, ସେମାନେ ସମସ୍ତେ ବିଧିବ୍ୟବସ୍ଥା ଦ୍ଵାରା ବିଚାରିତ ହେବେ। 13କାରଣ ଯେଉଁମାନେ ବିଧିବ୍ୟବସ୍ଥା ଶ୍ରବଣ କରନ୍ତି ସେମାନେ ଯେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହେବେ, ତା ନୁହେଁ ମାତ୍ର ଯେଉଁମାନେ ବିଧିବ୍ୟବସ୍ଥା ପାଳନ କରନ୍ତି ସେମାନେ ଧାର୍ମିକ ବୋଲି ସ୍ୱୀକୃତ ହେବେ। 14(ପ୍ରକୃତରେ, ବିଧିବ୍ୟବସ୍ଥା ନ ଥିଲେ ସୁଦ୍ଧା, ଅଣଯିହୁଦୀମାନେ, ଯେତେବେଳେ ସ୍ଵଭାବତଃ ବିଧିବ୍ୟବସ୍ଥାନୁଯାୟୀ କର୍ମ କରନ୍ତି, ସେତେବେଳେ ସେମାନଙ୍କର ବିଧିବ୍ୟବସ୍ଥା ନ ଥିଲେ ସୁଦ୍ଧା, ସେମାନେ ନିଜ ନିଜ ପ୍ରତି ବ୍ୟବସ୍ଥା ସ୍ଵରୂପ ଅଟନ୍ତି। 15କାରଣ ସେମାନେ ଏହି କଥା ପ୍ରକାଶ କରନ୍ତି ଯେ ଯେଉଁସବୁ ବିଷୟ ବିଧିବ୍ୟବସ୍ଥା ଦାବୀ କରେ ସେହିସବୁ ସେମାନଙ୍କ ହୃଦୟରେ ଲିଖିତ ହୋଇଛି, ସେମାନଙ୍କ ବିବେକ ଏହାର ସାକ୍ଷ୍ୟ ଦିଏ ଏବଂ ସେମାନଙ୍କ ଚିନ୍ତାଧାରା ସେମାନଙ୍କୁ କେତେବେଳେ ଦୋଷୀ କରେ ଓ କେତେବେଳେ ସମର୍ଥନ କରେ।) 16ମୁଁ ଯେଉଁ ସୁସମାଚାର ଘୋଷଣା କରୁଛି ତଦନୁଯାୟୀ ସେହିଦିନ ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା, ମନୁଷ୍ୟମାନଙ୍କର ଗୁପ୍ତ ବିଷୟସବୁ ବିଚାର କରିବେ।
ଯିହୁଦୀ ଜାତି ଓ ବିଧିବ୍ୟବସ୍ଥା
17ତୁମେ ଯଦି, ନିଜକୁ ଯିହୁଦୀ ବୋଲାଉଛ; ଯଦି ବିଧିବ୍ୟବସ୍ଥା ଉପରେ ନିର୍ଭର କରୁଛ ଏବଂ ଈଶ୍ୱରଙ୍କ ସହିତ ତୁମର ସମ୍ପର୍କ ବିଷୟରେ ଗର୍ବ କରୁଛ; 18ତୁମେ ଯଦି ତାହାଙ୍କର ଅଭିମତ ଜାଣୁଛ ଏବଂ ବିଧିବ୍ୟବସ୍ଥାରୁ ଶିକ୍ଷା ଲାଭକରି ଯାହା ଉତ୍କୃଷ୍ଟ ତାହା ଜାଣୁଛ; 19ପୁଣି ବିଧିବ୍ୟବସ୍ଥାରେ ଜ୍ଞାନ ଓ ସତ୍ୟ ନିହିତ ଥିବାରୁ ଯଦି ନିଶ୍ଚିତଭାବେ ଜାଣୁଛ ଯେ, 20ତୁମେ ଅନ୍ଧର ପଥପ୍ରଦର୍ଶକ, ଅନ୍ଧକାରବାସୀମାନଙ୍କର ଆଲୋକ, ନିର୍ବୋଧର ଶିକ୍ଷାଦାତା ଓ ଶିଶୁମାନଙ୍କର ଗୁରୁ; 21ତେବେ, ତୁମେ, ଯେଉଁମାନେ ପରକୁ ଶିକ୍ଷା ଦେଉଛ, ନିଜକୁ ଶିକ୍ଷା ଦେଉ ନାହଁ କାହିଁକି? ଚୋରି କରିବା ବିରୁଦ୍ଧରେ ଶିକ୍ଷା ଦେଇ, ତୁମେ ନିଜେ ଚୋରି କର କି? 22ଲୋକେ ବ୍ୟଭିଚାର କରିବା ଉଚିତ ନୁହେଁ ବୋଲି କହି, ତୁମେ ନିଜେ ବ୍ୟଭିଚାର କର କି? ତୁମେ ପ୍ରତିମାଗୁଡ଼ିକୁ ଘୃଣା କରି, ମନ୍ଦିର ଲୁଣ୍ଠନ କର କି? 23ତୁମେ ବିଧିବ୍ୟବସ୍ଥା ବିଷୟରେ ବଡ଼ିମା କରି, ତାହା ଉଲ୍ଲଙ୍ଘନ କରିବା ଦ୍ଵାରା ଈଶ୍ୱରଙ୍କର ଅସମ୍ମାନ କର କି? 24ଯେହେତୁ ଏହିପରି ଲେଖାଅଛି: “ତୁମ୍ଭମାନଙ୍କ ହେତୁ ଅଣଯିହୁଦୀମାନଙ୍କ ମଧ୍ୟରେ ଈଶ୍ୱରଙ୍କ ନାମ ନିନ୍ଦିତ ହେଉଛି।”
25ଯଦି ତୁମେ ବିଧିବ୍ୟବସ୍ଥା ପାଳନ କରୁଛ ତେବେ ସୁନ୍ନତ ବିଧିର ମୂଲ୍ୟ ଅଛି, କିନ୍ତୁ ଯଦି ଲଘଂନ କରୁଛ, ତେବେ ତୁମେ ସୁନ୍ନତ ନ ହେଲା ପରି ହୋଇଛ। 26ଯେଉଁମାନେ ସୁନ୍ନତ ହୋଇନାହାନ୍ତି, ସେମାନେ ଯଦି ବିଧିବ୍ୟବସ୍ଥାର ଦାବୀସବୁ ପାଳନ କରନ୍ତି, ତେବେ ସେମାନେ ସୁନ୍ନତ ହେଲା ପରି କଅଣ ବିବେଚିତ ହେବେ ନାହିଁ? 27ଯେଉଁ ଲୋକ ଶାରୀରିକଭାବେ ସୁନ୍ନତ ହୋଇନାହିଁ ଅଥଚ ବିଧିବ୍ୟବସ୍ଥା ପାଳନ କରେ, ସେ ତୁମକୁ ଦୋଷୀ କରିବ, କାରଣ ତୁମର ଲିଖିତ ନିୟମାବଳୀ ଓ ସୁନ୍ନତ ବିଧି ଥାଇ ସୁଦ୍ଧା ତୁମେ ବିଧିବ୍ୟବସ୍ଥା ଲଘଂନ କରୁଛ।
28ଯିଏ କେବଳ ବାହ୍ୟିକ ଭାବରେ ଯିହୁଦୀ, ସେ ପ୍ରକୃତ ଯିହୁଦୀ ନୁହେଁ କିମ୍ବା ସୁନ୍ନତ ହେବା କେବଳ ବାହ୍ୟିକ ଓ ଶାରୀରିକ ବିଷୟ ନୁହେଁ। 29ନା, ଯିଏ ଅନ୍ତରରେ ଯିହୁଦୀ; ସେ ହିଁ ପ୍ରକୃତ ଯିହୁଦୀ ଏବଂ ହୃଦୟରେ ସୁନ୍ନତ ହେବା ହିଁ ପ୍ରକୃତ ସୁନ୍ନତ, ଏହା ଲିଖିତ ନିୟମାବଳୀ ଦ୍ଵାରା ନ ହୋଇ, ଆତ୍ମାଙ୍କ ଦ୍ଵାରା ହୁଏ। ଏହିପ୍ରକାର ବ୍ୟକ୍ତି ମନୁଷ୍ୟମାନଙ୍କଠାରୁ ପ୍ରଶଂସା ଲାଭ କରେ ନାହିଁ, ମାତ୍ର ଈଶ୍ୱରଙ୍କଠାରୁ ଲାଭ କରେ।