ଆଦି ପୁସ୍ତକ 48
48
ଇଫ୍ରୟିମ ଓ ମନଃଶିଙ୍କୁ
1ସେହି ସବୁ ଘଟଣା ଉତ୍ତାରେ କେହି ଯୋଷେଫଙ୍କୁ ସମ୍ଵାଦ ଦେଇ କହିଲା; ଦେଖ, ତୁମ୍ଭ ପିତା ପୀଡ଼ିତ ଅଛନ୍ତି; ତହିଁରେ ସେ ଆପଣାର ଦୁଇ ପୁତ୍ର ମନଃଶି ଓ ଇଫ୍ରୟିମଙ୍କୁ ସଙ୍ଗରେ ନେଇ ଗଲେ।
2ସେତେବେଳେ କେହି ଯାକୁବଙ୍କୁ କହିଲା, ଦେଖ, ତୁମ୍ଭ ପୁତ୍ର ଯୋଷେଫ ତୁମ୍ଭ ନିକଟକୁ ଆସିଅଛି; ତହିଁରେ ଇସ୍ରାଏଲ ଆପଣାକୁ ସବଳ କରି ଶଯ୍ୟାରେ ଉଠି ବସିଲେ।
3ଅନନ୍ତର ଯାକୁବ ଯୋଷେଫଙ୍କୁ କହିଲେ, କିଣାନ ଦେଶରେ ଲୁସ ନାମକ ସ୍ଥାନରେ ସର୍ବଶକ୍ତିମାନ ପରମେଶ୍ଵର ମୋତେ ଦର୍ଶନ ଦେଇ ଆଶୀର୍ବାଦ କରି ଏହା କହିଥିଲେ,
4ଦେଖ, ଆମ୍ଭେ ତୁମ୍ଭକୁ ପ୍ରଜାବ; ଓ ବହୁବଂଶ କରିବା ଓ ତୁମ୍ଭଠାରୁ ନାନା ଜନସମାଜ ଉତ୍ପନ୍ନ କରିବା, ପୁଣି ତୁମ୍ଭ ଭବିଷ୍ୟଦ୍ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦେବା।
5ଏହେତୁ ମିସର ଦେଶରେ ତୁମ୍ଭ ନିକଟକୁ ମୋହର ଆସିବା ପୂର୍ବେ ତୁମ୍ଭର ଯେଉଁ ଦୁଇ ପୁତ୍ର ମିସର ଦେଶରେ ଜନ୍ମିଥିଲେ, ସେମାନେ ମୋହର ହେବେ; ରୁବେନ୍ ଓ ଶିମୀୟୋନ୍ ତୁଲ୍ୟ ଇଫ୍ରୟିମ ଓ ମନଃଶି ମୋହର ହେବେ।
6ପୁଣି ଏମାନଙ୍କ ଉତ୍ତାରେ ତୁମ୍ଭର ଯେଉଁ ସନ୍ତାନ ଜାତ ହେବେ, ସେମାନେ ତୁମ୍ଭର ହେବେ ଓ ଜ୍ୟେଷ୍ଠ ଭାଇମାନଙ୍କ ନାମରେ ଆପଣା ଅଧିକାରରେ ବିଖ୍ୟାତ ହେବେ।
7ପଦ୍ଦନ ଅରାମଠାରୁ କିଣାନ ଦେଶକୁ ମୋହର ଆଗମନ କାଳରେ ଇଫ୍ରାଥାରେ ପହଞ୍ଚିବା ନିମିତ୍ତ କିଛି ଦୂର ଥାଉ ଥାଉ ରାହେଲ ପଥ ମଧ୍ୟରେ ମୋʼ ନିକଟରେ ମଲା; ତହିଁରେ ମୁଁ ସେଠାରେ ଇଫ୍ରାଥାରେ, ଅର୍ଥାତ୍, ବେଥ୍ଲିହିମ୍ର ପଥପାର୍ଶ୍ଵରେ ତାକୁ କବର ଦେଲି।
8ଅନନ୍ତର ଇସ୍ରାଏଲ ଯୋଷେଫଙ୍କର ପୁତ୍ରମାନଙ୍କୁ ଦେଖି ପଚାରିଲେ, ଏମାନେ କିଏ?
9ତହିଁରେ ଯୋଷେଫ ପିତାଙ୍କୁ କହିଲେ, ଏମାନେ ମୋହର ପୁତ୍ର, ପରମେଶ୍ଵର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି। ତେବେ ଇସ୍ରାଏଲ କହିଲେ, ବିନୟ କରୁଅଛି, ଏମାନଙ୍କୁ ମୋʼ ନିକଟକୁ ଆଣ, ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।
10ସେ ସମୟରେ ଇସ୍ରାଏଲ ବୃଦ୍ଧାବସ୍ଥା ପ୍ରଯୁକ୍ତ କ୍ଷୀଣଦୃଷ୍ଟି ହେବାରୁ ସ୍ପଷ୍ଟ ରୂପେ ଦେଖି ପାରିଲେ ନାହିଁ। ଏଣୁ ଯୋଷେଫ ତାଙ୍କ କତିକି ସେମାନଙ୍କୁ ଆଣି ଦିଅନ୍ତେ, ସେ ସେମାନଙ୍କୁ ଚୁମ୍ଵନ ଓ ଆଲିଙ୍ଗନ କଲେ।
11ପୁଣି ଇସ୍ରାଏଲ ଯୋଷେଫଙ୍କୁ କହିଲେ, ମୁଁ ଭାବିଥିଲି, ତୁମ୍ଭ ମୁଖ ଆଉ ଦେଖି ପାରିବି ନାହିଁ; ମାତ୍ର ଦେଖ, ପରମେଶ୍ଵର ତୁମ୍ଭର ବଂଶ ମଧ୍ୟ ମୋତେ ଦେଖାଇଲେ।
12ତହୁଁ ଯୋଷେଫ ପିତାଙ୍କର ଦୁଇ ଜଙ୍ଘ ମଧ୍ୟରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ।
13ଅନନ୍ତର ଯୋଷେଫ ସେ ଦୁହିଁଙ୍କି ନେଇ ଆପଣା ଦକ୍ଷିଣ ହସ୍ତରେ ଇଫ୍ରୟିମକୁ ଧରି ଇସ୍ରାଏଲଙ୍କ ବାମ ଭାଗରେ ଓ ବାମ ହସ୍ତରେ ମନଃଶିକି ଧରି ଇସ୍ରାଏଲଙ୍କ ଦକ୍ଷିଣ ଭାଗରେ ଉପସ୍ଥିତ କରାଇଲେ।
14ତହିଁରେ ଇସ୍ରାଏଲ ଆପଣା ଦକ୍ଷିଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରୟିମର ମସ୍ତକ ଉପରେ ରଖିଲେ, ପୁଣି ମନଃଶିର ମସ୍ତକ ଉପରେ ବାମ ହସ୍ତ ରଖିଲେ, ସେ ବିବେଚନା ପୂର୍ବକ ଆପଣା ହସ୍ତ ଏରୂପ ଚଳାଇଲେ; କାରଣ ମନଃଶି ପ୍ରଥମଜାତ ଥିଲା।
15ଅନନ୍ତର ସେ ଯୋଷେଫଙ୍କୁ ଆଶୀର୍ବାଦ କରି କହିଲେ, ଯେଉଁ ପରମେଶ୍ଵରଙ୍କ ସାକ୍ଷାତରେ ମୋହର ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକ ଗମନାଗମନ କରିଥିଲେ, ଯେଉଁ ପରମେଶ୍ଵର ଜନ୍ମାବଧି ଆଜି ପର୍ଯ୍ୟନ୍ତ ମୋତେ ପ୍ରତିପାଳନ କରିଅଛନ୍ତି,
16ଯେଉଁ ଦୂତ ସମସ୍ତ ଆପଦରୁ ମୋତେ ମୁକ୍ତ କରିଅଛନ୍ତି, ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ; ଏମାନେ ମୋʼ ନାମରେ ଓ ମୋହର ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମରେ ବିଖ୍ୟାତ ହେଉନ୍ତୁ, ପୁଣି ଏମାନେ ଦେଶ ମଧ୍ୟରେ ବୃଦ୍ଧି ପାଇ ଲୋକାରଣ୍ୟ ହେଉନ୍ତୁ।
17ସେତେବେଳେ ଇଫ୍ରୟିମର ମସ୍ତକରେ ପିତାଙ୍କର ଦକ୍ଷିଣ ହସ୍ତ ଦେଖି ଯୋଷେଫ ଅସନ୍ତୁଷ୍ଟ ହେଲେ; ଏହେତୁ ଇଫ୍ରୟିମର ମସ୍ତକରୁ ମନଃଶିର ମସ୍ତକରେ ତାହା ସ୍ଥାପନ କରିବାକୁ ପିତାଙ୍କର ହସ୍ତ ଉଠାଇ କହିଲେ,
18ପିତଃ, ଏପରି ନୁହେଁ, ଏହି ଜଣ ଜ୍ୟେଷ୍ଠ, ଏହାର ମସ୍ତକରେ ଦକ୍ଷିଣ ହସ୍ତ ଦିଅ।
19ମାତ୍ର ତାଙ୍କର ପିତା ଅସମ୍ମତ ହୋଇ କହିଲେ, ହେ ପୁତ୍ର; ତାହା ମୁଁ ଜାଣେ, ମୁଁ ଜାଣେ; ସେ ମଧ୍ୟ ଏକ ଗୋଷ୍ଠୀ ହେବ ଓ ସେ ମଧ୍ୟ ମହାନ ହେବ; ମାତ୍ର ତାହାର କନିଷ୍ଠ ଭ୍ରାତା ତାହାଠାରୁ ଅଧିକ ମହାନ ହେବ ଓ ତାହାର ବଂଶ ବହୁଗୋଷ୍ଠୀକ ହେବେ।
20ସେହି ଦିନ ସେ ସେମାନଙ୍କୁ ଆଶୀର୍ବାଦ କରି କହିଲେ, ଇସ୍ରାଏଲ ବଂଶ ଆଶୀର୍ବାଦ କରିବା ସମୟରେ ତୁମ୍ଭମାନଙ୍କ ନାମ ଧରି କହିବେ, ପରମେଶ୍ଵର ତୁମ୍ଭକୁ ଇଫ୍ରୟିମ ଓ ମନଃଶି ତୁଲ୍ୟ କରନ୍ତୁ। ଏହି ପ୍ରକାରେ ସେ ମନଃଶିଠାରୁ ଇଫ୍ରୟିମକୁ ଅଗ୍ରଗଣ୍ୟ କଲେ।
21ଆଉ ଇସ୍ରାଏଲ ଯୋଷେଫଙ୍କୁ କହିଲେ, ଦେଖ, ମୁଁ ମରୁଅଛି; ମାତ୍ର ପରମେଶ୍ଵର ତୁମ୍ଭମାନଙ୍କ ସଙ୍ଗରେ ଥିବେ ଓ ତୁମ୍ଭମାନଙ୍କୁ ପୁନର୍ବାର ପୈତୃକ ଦେଶକୁ ନେଇଯିବେ।
22ମୁଁ ଆପଣା ଖଡ଼୍ଗ ଓ ଧନୁଦ୍ଵାରା ଇମୋରୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭ୍ରାତୃଗଣ ଅପେକ୍ଷା ସେହି ଅଧିକ ଅଂଶ ତୁମ୍ଭକୁ ଦେଲି।
ទើបបានជ្រើសរើសហើយ៖
ଆଦି ପୁସ୍ତକ 48: ODIAOV-BSI
គំនូសចំណាំ
ចែករំលែក
ចម្លង
ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.