Skip to content
Logò Ngwá Baịbụl

ରୋମୀୟ 5

5
ଶାନ୍ତି ଓ ଆନନ୍ଦ
1ଅତଏବ, ଆମେ ବିଶ୍ୱାସ ହେତୁ ଧାର୍ମିକ ଗଣିତ ହେବାରୁ, ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ୱରଙ୍କ ସହିତ ଶାନ୍ତି ଲାଭ କରିଛୁ, 2ଆମେ ବର୍ତ୍ତମାନ ଏହି ଯେଉଁ ଅନୁଗ୍ରହ ମଧ୍ୟରେ ରହିଛୁ ତାହାଙ୍କଠାରେ ବିଶ୍ୱାସ କରିଥିବା ହେତୁ ତହିଁ ମଧ୍ୟରେ ପ୍ରବେଶାଧିକାର ଲାଭ କରିଛୁ। ପୁଣି ଈଶ୍ୱରଙ୍କ ଗୌରବରେ ଆମର ଯେଉଁ ଭରସା ରହିଛି ତହିଁରେ ଆମେ ଆନନ୍ଦୋଲ୍ଲାସ କରୁଛୁ। 3କେବଳ ସେତିକି ନୁହେଁ, ଆମେ ଦୁଃଖକ୍ଳେଶରେ ମଧ୍ୟ ଆନନ୍ଦୋଲ୍ଲାସ କରୁଛୁ, କାରଣ ଆମେ ଜାଣୁ ଯେ ଦୁଃଖକ୍ଳେଶରୁ ଧୈର୍ଯ୍ୟ; 4ଧୈର୍ଯ୍ୟରୁ ସତ୍‌ଚରିତ୍ର; ଏବଂ ସତ୍‌ଚରିତ୍ର ରୁ ଭରସା ଜାତ ହୁଏ। 5ପୁଣି ଭରସା ଆମକୁ ନିରାଶ କରେ ନାହିଁ, କାରଣ ଆମକୁ ପ୍ରଦତ୍ତ ପବିତ୍ରଆତ୍ମାଙ୍କ ଦ୍ଵାରା, ଈଶ୍ୱର ଆମର ହୃଦୟକୁ ତାହାଙ୍କ ପ୍ରେମରେ ଭରି ଦେଇଛନ୍ତି।
6ଆମେ ଯେତେବେଳେ ଶକ୍ତିହୀନ ଥିଲୁ, ସେତେବେଳେ, ଖ୍ରୀଷ୍ଟ ଉପଯୁକ୍ତ ସମୟରେ, ଅଧାର୍ମିକ ଲୋକଙ୍କ ପାଇଁ ମୃତ୍ୟୁବରଣ କଲେ। 7ଧାର୍ମିକ ଲୋକ ପାଇଁ କେହି ପ୍ରାଣ ଦେବା ଖୁବ୍ ବିରଳ, ତଥାପି କୌଣସି ଉତ୍ତମ ବ୍ୟକ୍ତି ପାଇଁ କେହି ହୁଏତ ପ୍ରାଣ ଦେବାକୁ ସାହସ କରିପାରେ। 8କିନ୍ତୁ ଆମେ ପାପୀ ଥିବା ସମୟରେ ହିଁ, ଖ୍ରୀଷ୍ଟ ଯେ ଆମ ପାଇଁ ପ୍ରାଣ ଦେଲେ: ଏହା ଦ୍ଵାରା ଈଶ୍ୱର ଆମ ପ୍ରତି ତାହାଙ୍କର ପ୍ରେମ ପ୍ରଦର୍ଶନ କରୁଛନ୍ତି।
9ଆମେ ଏବେ ତାହାଙ୍କ ରକ୍ତ ଦ୍ଵାରା ଧାର୍ମିକ ଗଣିତ ହୋଇଥିବାରୁ, ତାହାଙ୍କ ଦ୍ଵାରା ଈଶ୍ୱରଙ୍କ କୋପରୁ କେତେ ଅଧିକ ରୂପେ ରକ୍ଷା ନ ପାଇବୁ! 10କାରଣ ଆମେ ଈଶ୍ୱରଙ୍କ ଶତ୍ରୁ ଥିବା ସମୟରେ, ଯଦି ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ଵାରା, ଈଶ୍ୱରଙ୍କ ସହ ପୁନର୍ମିଳିତ ହେଲୁ, ତେବେ ଆମେ ପୁନର୍ମିଳିତ ହୋଇଥିବାରୁ, ତାହାଙ୍କ ଜୀବନ ଦ୍ଵାରା କେତେ ଅଧିକ ରୂପେ ରକ୍ଷା ନ ପାଇବୁ! 11କେବଳ ସେତିକି ନୁହେଁ, ମାତ୍ର ଆମେ ଯାହାଙ୍କ ଦ୍ଵାରା ପୁନର୍ମିଳନ ଲାଭ କଲୁ, ଆମର ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଆମେ ଈଶ୍ୱରଙ୍କଠାରେ ଆନନ୍ଦୋଲ୍ଲାସ ମଧ୍ୟ କରୁଛୁ।
ଆଦମଙ୍କ ହେତୁ ମୃତ୍ୟୁ ଓ ଖ୍ରୀଷ୍ଟଙ୍କ ହେତୁ ଜୀବନ
12ଅତଏବ, ଜଣେ ମନୁଷ୍ୟ ଦ୍ଵାରା ପାପ, ଓ ପାପ ଦ୍ଵାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଏବଂ ଏହି ପ୍ରକାରେ ସବୁ ମନୁଷ୍ୟଙ୍କ ପ୍ରତି ମୃତ୍ୟୁ ଆସିଲା, କାରଣ ସମସ୍ତେ ପାପ କଲେ।
13ବିଧିବ୍ୟବସ୍ଥା ପ୍ରଦତ୍ତ ହେବା ପୂର୍ବରୁ ମଧ୍ୟ ଜଗତରେ ପାପ ଥିଲା, କିନ୍ତୁ ବିଧିବ୍ୟବସ୍ଥା ନ ଥିଲେ, ପାପ ଆରୋପ କରାଯାଏ ନାହିଁ। 14ତଥାପି, ଆଦମଙ୍କ ସମୟରୁ ମୋଶାଙ୍କ ସମୟ ପର୍ଯ୍ୟନ୍ତ, ଯେଉଁମାନେ ଆଦମଙ୍କ ପରି ନିର୍ଦ୍ଦିଷ୍ଟ ଆଜ୍ଞାଲଘଂନ କରି ନ ଥିଲେ, ସେମାନଙ୍କ ଉପରେ ମଧ୍ୟ ମୃତ୍ୟୁ ଆଧିପତ୍ୟ ବିସ୍ତାର କରିଥିଲା, ପରେ ଯାହାଙ୍କର ଆଗମନ ହେବାର ଥିଲା, ଆଦମ ଥିଲେ ତାହାଙ୍କର ପ୍ରତିରୂପ।
15କିନ୍ତୁ ଅନୁଗ୍ରହ ଦାନ ଓ ଆଜ୍ଞାଲଘଂନ ମଧ୍ୟରେ କୌଣସି ତୁଳନା ନାହିଁ। କାରଣ ଯଦି ଜଣକର ଆଜ୍ଞାଲଘଂନ ହେତୁ ଅନେକେ ମୃତ୍ୟୁଭୋଗ କଲେ, ତେବେ ଈଶ୍ୱରଙ୍କ ଅନୁଗ୍ରହ ଓ ଜଣକର ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହର ଦାନ, ଅନେକଙ୍କ ପ୍ରତି କେତେ ପ୍ରଚୁର ନ ହେଲା! 16ଆହୁରି ମଧ୍ୟ ଈଶ୍ୱରଙ୍କ ଦାନ ଗୋଟିଏ ମନୁଷ୍ୟର ପାପର ପରିଣତି ପରି ନୁହେଁ: ଗୋଟିଏ ପାପର ମଧ୍ୟ ବିଚାର ହେଲା ଓ ତାହାର ଫଳ ହେଲା ଦଣ୍ଡାଜ୍ଞା, କିନ୍ତୁ ଈଶ୍ୱରଙ୍କ ଦାନର ଫଳ ହେଲା ଅନେକ ଆଜ୍ଞାଲଘଂନ ସତ୍ତ୍ୱେ ଧାର୍ମିକ ଗଣ୍ୟ ହେବା। 17କାରଣ, ଜଣେ ମନୁଷ୍ୟଙ୍କ ଆଜ୍ଞାଲଘଂନ ଦ୍ଵାରା ଯଦି ସେହି ମନୁଷ୍ୟ ମାଧ୍ୟମରେ ମୃତ୍ୟୁ କର୍ତ୍ତୃତ୍ଵ କଲା, ତେବେ ଯେଉଁମାନେ ଈଶ୍ୱରଙ୍କ ପ୍ରଚୁର ଅନୁଗ୍ରହ ଓ ଧାର୍ମିକତାରୂପ ଦାନ ଲାଭ କରନ୍ତି, ସେମାନେ ଜଣେ ବ୍ୟକ୍ତିଙ୍କ ଅର୍ଥାତ୍, ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ କେତେ ଅଧିକ କର୍ତ୍ତୃତ୍ଵ ନ କରିବେ!
18ଯେପରି, ଗୋଟିଏ ଆଜ୍ଞାଲଘଂନର ଫଳ ହେଲା ସବୁ ମନୁଷ୍ୟଙ୍କ ପାଇଁ ଦଣ୍ଡାଜ୍ଞା, ଠିକ ସେହିପରି ଗୋଟିଏ ଧାର୍ମିକ କର୍ମର ଫଳ ହେଲା ଧାର୍ମିକ ଗଣ୍ୟ ହେବା ଯାହାକି ସବୁ ମନୁଷ୍ୟଙ୍କ ପାଇଁ ଜୀବନ ଆଣି ଦେଇଛି। 19ଜଣେ ମନୁଷ୍ୟଙ୍କ ଅବାଧ୍ୟତା ହେତୁ ଯେପରି ଅନେକେ ପାପୀ ଗଣ୍ୟ ହେଲେ, ଠିକ ସେହିପରି ଜଣେ ବ୍ୟକ୍ତିଙ୍କ ଆଜ୍ଞାବହତା ହେତୁ ଅନେକେ ଧାର୍ମିକ ଗଣ୍ୟ ହେବେ।
20ଆଜ୍ଞାଲଘଂନର ଆଧିକ୍ୟ ପାଇଁ ବିଧିବ୍ୟବସ୍ଥା ଯୋଗ କରାଗଲା। କିନ୍ତୁ ଯେଉଁଠାରେ ପାପ ବୃଦ୍ଧି ପାଇଲା, ସେଠାରେ ଅନୁଗ୍ରହ ଆହୁରି ଅଧିକଭାବେ ବୃଦ୍ଧି ପାଇଲା, 21ଯେପରିକି, ପାପ ଯେଉଁ ପ୍ରକାରେ ମୃତ୍ୟୁ ମାଧ୍ୟମରେ କର୍ତ୍ତୃତ୍ଵ କଲା, ଠିକ ସେହିପ୍ରକାରେ ଅନୁଗ୍ରହ ମଧ୍ୟ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଅନନ୍ତଜୀବନ ଆଣି ଦେବାକୁ ଧାର୍ମିକତା ମାଧ୍ୟମରେ କର୍ତ୍ତୃତ୍ଵ କରିପାରିବ।