Skip to content
Logo Aplikasyon Bib

ରୋମୀୟ 7

7
ଆମେ ନିୟମରୁ ମୁକ୍ତ ହୋଇଛୁ, ଖ୍ରୀଷ୍ଟଙ୍କ ସହ ଏକତ୍ରିତ
1ବୈବାହିକ ନିୟମରୁ ଏକ ଦୃଷ୍ଟାନ୍ତ, ହେ ଭାଇମାନେ ବିଧିବ୍ୟବସ୍ଥା ଜାଣିଥିବା ଲୋକଙ୍କୁ ମୁଁ ଏ କଥା କହୁଛି ମନୁଷ୍ୟ ଜୀବିତଥିବା ପର୍ଯ୍ୟନ୍ତ ତା ଉପରେ ବିଧିବ୍ୟବସ୍ଥାର କର୍ତ୍ତୃତ୍ଵ ଥାଏ ବୋଲି ତୁମ୍ଭେମାନେ କଣ ଜାଣି ନାହଁ? 2ଉଦାହରଣ ସ୍ଵରୂପ, ସ୍ୱାମୀ ଜୀବିତ ଥିବାଯାଏ ବିବାହିତା ସ୍ତ୍ରୀ ଆଇନତଃ ତାହାର ସ୍ୱାମୀ ସହିତ ଆବଦ୍ଧ ଥାଏ, କିନ୍ତୁ ତାହାର ସ୍ୱାମୀ ମରିଗଲେ, ସେ ବୈବାହିକ ନିୟମରୁ ମୁକ୍ତ ହୁଏ। 3ଅତଏବ, ସ୍ୱାମୀ ବଞ୍ଚି ଥାଉଁ ଥାଉଁ ସେହି ସ୍ତ୍ରୀ ଯଦି ଅନ୍ୟ ପୁରୁଷକୁ ବିବାହ କରେ, ତେବେ ତାକୁ ବ୍ୟଭିଚାରିଣୀ ବୋଲି କୁହାଯାଏ। କିନ୍ତୁ ତାହାର ସ୍ୱାମୀ ଯଦି ମରିଯାଏ, ତେବେ ସେ ସେହି ନିୟମରୁ ମୁକ୍ତ ହୁଏ ଓ ଅନ୍ୟ ସ୍ୱାମୀ ଗ୍ରହଣ କଲେ ମଧ୍ୟ ବ୍ୟଭିଚାରିଣୀ ହୁଏ ନାହିଁ।
4ତେଣୁ, ହେ ମୋର ଭାଇମାନେ, ତୁମ୍ଭେମାନେ ମଧ୍ୟ ଖ୍ରୀଷ୍ଟଙ୍କ ଶରୀର ଦ୍ଵାରା ବିଧିବ୍ୟବସ୍ଥା ପ୍ରତି ମୃତ, ଯେପରିକି ତୁମ୍ଭେମାନେ ଅନ୍ୟ ଜଣଙ୍କର, ଅର୍ଥାତ୍ ଯେ ମୃତ୍ୟୁରୁ ଉତ୍‌ଥାପିତ ହେଲେ ତାହାଙ୍କର ଅଧିକାରଭୁକ୍ତ ହୋଇପାରିବ, ତା ହେଲେ ତୁମ୍ଭେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଫଳ ଧାରଣ କରିପାରିବ। 5କାରଣ ଆମେ ଯେତେବେଳେ ପାପପ୍ରକୃତି ଦ୍ଵାରା ନିୟନ୍ତ୍ରିତ ହେଉଥିଲୁ, ସେତେବେଳେ ବିଧିବ୍ୟବସ୍ଥା ଦ୍ଵାରା ଉଦ୍ରେକ ହେଉଥିବା ପାପାଭିଳାଷଗୁଡ଼ିକ ଆମ ଶରୀରରେ ସକ୍ରିୟ ଥିଲା, ତେଣୁ ଆମେ ମୃତ୍ୟୁଜନକ ଫଳ ଧାରଣ କରୁଥିଲୁ। 6କିନ୍ତୁ, ଯାହା ଆମକୁ ଏକଦା ବନ୍ଧନରେ ରଖିଥିଲା, ଏବେ ତାହା ପ୍ରତି ମୃତ ହେବାରୁ ଆମେ ବିଧିବ୍ୟବସ୍ଥାରୁ ମୁକ୍ତ ହୋଇଛ, ଏବଂ ପୁରାତନ ଲିଖିତ ନିୟମାବଳୀ ଅନୁଯାୟୀ ସେବା ନ କରି ଆତ୍ମାଙ୍କ ପ୍ରେରଣାରେ ନୂତନଭାବେ ସେବା କରୁଛୁ।
ନିୟମ ଓ ପାପ ସହିତ ସଂଗ୍ରାମ
7ତେବେ, ଆମେ କଅଣ କହିବା? ବିଧିବ୍ୟବସ୍ଥା କଅଣ ପାପ? କଦାପି ନୁହେଁ! ପ୍ରକୃତରେ ବିଧିବ୍ୟବସ୍ଥା ବ୍ୟତୀତ ପାପ ଯେ କଅଣ, ତାହା ତ ମୁଁ ଜାଣି ନ ଥାଆନ୍ତି। କାରଣ “ଲୋଭ କର ନାହିଁ,” ଏ କଥା ବିଧିବ୍ୟବସ୍ଥା ଯଦି କହି ନ ଥାଆନ୍ତା ତେବେ ଲୋଭ କଅଣ ମୁଁ ଜାଣି ନ ଥାଆନ୍ତି। 8କିନ୍ତୁ, ସେହି ଆଜ୍ଞାର ସୁଯୋଗ ନେଇ, ପାପ ମୋ ମଧ୍ୟରେ ସବୁପ୍ରକାର ଲୋଭପୂର୍ଣ୍ଣ ଅଭିଳାଷ ଜନ୍ମାଇଲା। କାରଣ ବିଧିବ୍ୟବସ୍ଥା ବିନା, ପାପ ମୃତ। 9ଏକଦା ବିଧିବ୍ୟବସ୍ଥା ବ୍ୟତୀତ ମୁଁ ଜୀବିତ ଥିଲି; କିନ୍ତୁ ଆଜ୍ଞା ଆସିବାରୁ, ପାପ ସଂଜୀବିତ ହେଲା ଓ ମୁଁ ମୃତ ହେଲି। 10ମୁଁ ଜାଣିଲି ଯେ ଯେଉଁ ଆଜ୍ଞାଟି ଜୀବନ ଦେବାକୁ ଉଦ୍ଦିଷ୍ଟ ତାହା ପ୍ରକୃତରେ ମୃତ୍ୟୁର କାରଣ ହେଲା। 11ଯେହେତୁ ସେହି ଆଜ୍ଞାର ସୁଯୋଗ ନେଇ, ପାପ ମୋତେ ପ୍ରତାରଣା କଲା, ଏବଂ ସେହି ଆଜ୍ଞା ଦ୍ଵାରା, ମୋତେ ମୃତ୍ୟୁ ମୁଖରେ ପକାଇଲା। 12ପ୍ରକୃତ ପକ୍ଷରେ, ବିଧିବ୍ୟବସ୍ଥା ପବିତ୍ର ଏବଂ ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ ଓ ଉତ୍ତମ।
13ତେବେ ଯାହା ଉତ୍ତମ, ତାହା କଅଣ ମୋ ପାଇଁ ମୃତ୍ୟୁଦାୟକ ହେଲା? କଦାପି ନୁହେଁ! ଯାହା ପାପ, ତାହା ଯେପରି ପାପ ବୋଲି ଚିହ୍ନିତ ହେବ, ଏବଂ ଈଶ୍ୱରଙ୍କ ଆଜ୍ଞା ମାଧ୍ୟମରେ ତାହା ସଂପୂର୍ଣ୍ଣ ରୂପେ ପାପ ବୋଲି ପ୍ରକାଶିତ ହେବ, ଏଥିପାଇଁ ଯାହା ଉତ୍ତମ ତାକୁ ବ୍ୟବହାର କରି ପାପ ମୋ ଠାରେ ମୃତ୍ୟୁ ଘଟାଇଲା।
14ଆମେ ଜାଣୁ ଯେ ବିଧିବ୍ୟବସ୍ଥା ଆଧ୍ୟତ୍ମିକ ଅଟେ; କିନ୍ତୁ ମୁଁ ଇନ୍ଦ୍ରିୟପରାୟଣ, ଏବଂ ପାପର କ୍ରୀତଦାସ। 15ମୋର କାର୍ଯ୍ୟକଳାପ ମୁଁ ନିଜେ ବୁଝିପାରେ ନାହିଁ। କାରଣ ମୁଁ ଯାହା କରିବାକୁ ଇଚ୍ଛା କରେ ତାହା କରେ ନାହିଁ, କିନ୍ତୁ ଯାହା କରିବାକୁ ଘୃଣା କରେ ତାହା ହିଁ କରେ। 16ପୁଣି, ମୁଁ ଯାହା କରିବାକୁ ଇଚ୍ଛା କରେ ନାହିଁ, ଯଦି ତାହା କରେ ତେବେ ଏହା ମୁଁ ସ୍ୱୀକାର କରୁଛି ଯେ ବିଧିବ୍ୟବସ୍ଥା ଉତ୍ତମ। 17ଅତଏବ, ତାହା ମୁଁ ଆଉ ନିଜେ କରୁ ନାହିଁ, ମାତ୍ର ମୋ ମଧ୍ୟରେ ବସା ବାନ୍ଧିଥିବା ପାପ ହିଁ ତାହା କରୁଅଛି। 18ମୁଁ ଜାଣେ ଯେ ମୋ ମଧ୍ୟରେ, ଅର୍ଥାତ୍, ମୋର ପାପପ୍ରକୃତି ମଧ୍ୟରେ କୌଣସି ଉତ୍ତମତା ନାହିଁ। ଯେହେତୁ ଯାହା ଉତ୍ତମ ତାହା କରିବାକୁ ମୋର ଇଚ୍ଛା ଅଛି, କିନ୍ତୁ ତାହା ସାଧନ କରିବାକୁ ମୋର ସାମର୍ଥ୍ୟ ନାହିଁ। 19ମୁଁ ଯେଉଁ ଉତ୍ତମ କର୍ମ କରିବାକୁ ଇଚ୍ଛା କରେ ତାହା କରେ ନାହିଁ, କିନ୍ତୁ ଯେଉଁ ମନ୍ଦ କର୍ମ କରିବାକୁ ଇଚ୍ଛା କରେ ନାହିଁ ତାହା ହିଁ କରିଥାଏ। 20ମୁଁ ଯାହା କରିବାକୁ ଇଚ୍ଛା କରେ ନାହିଁ, ତାହା ଯଦି କରେ ତେବେ ତାହା ତ ଆଉ ମୁଁ କରୁ ନାହିଁ, ମାତ୍ର ମୋ ମଧ୍ୟରେ ବସା ବାନ୍ଧିଥିବା ପାପ ତାହା କରୁଅଛି।
21ଅତଏବ ଏହି ନିୟମ କାର୍ଯ୍ୟକାରୀ ହେବାର ମୁଁ ଦେଖୁଅଛି: ଯେତେବେଳେ ମୁଁ ଉତ୍ତମ କର୍ମ କରିବାକୁ ଇଚ୍ଛା କରୁଛି, ମନ୍ଦ ମୋର ଅତି ନିକଟରେ। 22କାରଣ ମୋର ଅନ୍ତରାତ୍ମାରେ ମୁଁ ଈଶ୍ୱରଙ୍କ ବିଧିବ୍ୟବସ୍ଥାରେ ଆନନ୍ଦ ଲାଭ କରେ; 23ମାତ୍ର ମୋର ଶରୀରର ଅଙ୍ଗପ୍ରତ୍ୟଙ୍ଗରେ ମୁଁ ଅନ୍ୟ ଏକ ନିୟମ ସକ୍ରିୟ ଥିବାର ଦେଖୁଛି, ତାହା ମୋର ମନର ନିୟମ ବିରୁଦ୍ଧରେ ସଂଗ୍ରାମ କରି ମୋର ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ସକ୍ରିୟ ଥିବା ପାପ ନିୟମର ବନ୍ଦୀ କରି ମୋତେ ରଖୁଛି। 24ହାୟ ମୁଁ କେଡ଼େ ହତଭାଗ୍ୟ ମନୁଷ୍ୟ! ଏହି ମୃତଶରୀରର କବଳରୁ କିଏ ମୋତେ ଉଦ୍ଧାର କରିବ? 25ଈଶ୍ୱରଙ୍କର ଧନ୍ୟବାଦ ହେଉ, ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ସେ ଏହା କରିବେ!
ଏହିରୂପେ, ମୋର ମନ ମଧ୍ୟରେ ମୁଁ ଈଶ୍ୱରଙ୍କ ବିଧିବ୍ୟବସ୍ଥାର କ୍ରୀତଦାସ, କିନ୍ତୁ ପାପପ୍ରକୃତି ଅନୁଯାୟୀ ପାପ ନିୟମର ଦାସ ଅଟେ।