ପ୍ରେରିତ ଉପକ୍ରମଣିକା
ଉପକ୍ରମଣିକା
ଏହି ଗ୍ରନ୍ଥରେ ଲୂକ ଲିଖିତ ମଙ୍ଗଳ ସମାଚାରରେ ବର୍ଣ୍ଣିତ ଘଟଣାବଳୀର ପରବର୍ତ୍ତୀ ବିବରଣୀ ସନ୍ନିବେଶିତ। ଯୀଶୁଙ୍କ ପ୍ରେରିତ ଶିଷ୍ୟମାନେ କିପରି ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ “ଯିରୂଶାଲମ, ସମଗ୍ର ଯିହୁଦା, ଶମିରୋଣ ଓ ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ” ସୁସମାଚାର ପ୍ରଚାର କଲେ, ତାହା ବର୍ଣ୍ଣନା କରିବା ଏହି ପୁସ୍ତକର ମୂଳ ଲକ୍ଷ୍ୟ। ଖ୍ରୀଷ୍ଟଧର୍ମ ଇହୁଦୀମାନଙ୍କ ମଧ୍ୟରେ ଆରମ୍ଭ ହୋଇ କିପରି ସମଗ୍ର ଜଗତର ଏକ ମୁଖ୍ୟ ଧର୍ମବିଶ୍ୱାସରେ ପରିଣତ ହେଲା, ତା’ର ଏକ ଇତିହାସ ଏଥିରେ ଲିପିବଦ୍ଧ ହୋଇଛି। ଲେଖକ ତାଙ୍କ ପାଠକମାନଙ୍କୁ ପରିଷ୍କାର ଭାବରେ ଜଣାଇବାକୁ ଚାହାନ୍ତି ଯେ ଖ୍ରୀଷ୍ଟିୟାନମାନେ ରୋମ ସାମ୍ରାଜ୍ୟର ଧ୍ୱଂସ ସାଧନ ନିମିତ୍ତ ଏକ ରାଜନୈତିକ ବିପ୍ଳବବାଦୀ ଗୋଷ୍ଠୀ ହୋଇ ବାହାରି ନ ଥିଲେ। ଖ୍ରୀଷ୍ଟୀୟ ବିଶ୍ୱାସ ଇହୁଦୀ ଧର୍ମର ପୂର୍ଣ୍ଣ ବିକାଶ ମାତ୍ର।
ଖ୍ରୀଷ୍ଟ ଯୀଶୁ ପ୍ରଦତ୍ତ ସୁସମାଚାର ପ୍ରଚାର ଓ ଖ୍ରୀଷ୍ଟୀୟ ମଣ୍ଡଳୀ ପ୍ରତିଷ୍ଠାର ପ୍ରସାର ଦୃଷ୍ଟିରୁ ଏହି ବିବରଣୀକୁ ତିନି ଭାଗରେ ବିଭକ୍ତ କରାଯାଇପାରେ। (୧) ଯୀଶୁଙ୍କ ପୁନରୁତ୍ଥାନ ପରେ ପରେ ଯିରୂଶାଲମରେ ଖ୍ରୀଷ୍ଟୀୟ ଉପାସକ ମଣ୍ଡଳୀର ପ୍ରତିଷ୍ଠା। (୨) ପାଲେଷ୍ଟାଇନ୍ର ଅନ୍ୟାନ୍ୟ ଅଞ୍ଚଳରେ ତାହାର ପ୍ରସାରଣ ଓ (୩) ରୋମ ନଗରୀ ପର୍ଯ୍ୟନ୍ତ ଭୂମଧ୍ୟ ସାଗର ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ତାହାର ସମ୍ପ୍ରସାରଣ।
“ପବିତ୍ରଆତ୍ମାଙ୍କ” କାର୍ଯ୍ୟ ପ୍ରେରିତ ଶିଷ୍ୟ ବିବରଣୀର ଏକ ଉଲ୍ଲେଖନୀୟ ବିଷୟ। ପେଷ୍ଟିକଷ୍ଟ ଦିବସରେ ଯିରୂଶାଲମ ନିବାସୀ ଖ୍ରୀଷ୍ଟବିଶ୍ୱାସୀମାନଙ୍କ ଉପରେ ପବିତ୍ରଆତ୍ମା ଅଧିଷ୍ଠାନ କଲେ ଓ ଖ୍ରୀଷ୍ଟୀୟ ମଣ୍ଡଳୀ ଓ ତା’ର ନେତୃବୃନ୍ଦଙ୍କୁ ଏ ପୁସ୍ତକବର୍ଣ୍ଣିତ ଘଟଣାବଳୀ ଦ୍ୱାରା ପରିଚାଳିତ କରି ଶକ୍ତିଶାଳୀ କଲେ। ଆଦ୍ୟ ଖ୍ରୀଷ୍ଟୀୟ ସମ୍ବାଦର ସାରାଂଶ ଏହି ବିବରଣୀରେ ବିଭିନ୍ନ ଉପଦେଶ ଆକାରରେ ଲିପିବଦ୍ଧ ହୋଇଛି। ସେହି ଧର୍ମ ପ୍ରଚାରର ପ୍ରଭାବ ବିଶ୍ୱାସୀମାନଙ୍କ ଜୀବନରେ କିପରି ପ୍ରତିଫଳିତ ହୋଇଥିଲା, ଏହି ଗ୍ରନ୍ଥରେ ତା’ର ସ୍ପଷ୍ଟ ସୂଚନା ଦିଆଯାଇଛି।
ବିଷୟ ସୂଚୀ
ସାକ୍ଷ୍ୟଦାନ ନିମନ୍ତେ ପ୍ରସ୍ତୁତି - ୧:୧-୨୬
(କ) ଯୀଶୁଙ୍କ ଶେଷ ଆଜ୍ଞା ଓ ପ୍ରତିଶ୍ରୁତି - ୧:୧-୧୪
(ଖ) ଯିହୁଦାଙ୍କ ଉତ୍ତରାଧିକାରୀ - ୧:୧୫-୨୬
ଯିରୂଶାଲମରେ ସାକ୍ଷ୍ୟଦାନ - ୨:୧-୮:୩
ଯିହୁଦା ପ୍ରଦେଶ ଓ ଶମିରୋଣରେ ସାକ୍ଷ୍ୟଦାନ - ୮:୪-୧୨:୨୫
ପାଉଲଙ୍କ ସେବାକାର୍ଯ୍ୟ - ୧୩:୧-୨୮:୩୧
(କ) ପ୍ରଥମ ପ୍ରଚାର ଯାତ୍ରା: ୧୩:୧-୧୪:୨୮
(ଖ) ଯିରୂଶାଲମରେ ମହାସଭା: ୧୫:୧-୩୫
(ଗ) ଦ୍ୱିତୀୟ ପ୍ରଚାର ଯାତ୍ରା: ୧୫:୩୬-୧୮:୨୨
(ଘ) ତୃତୀୟ ପ୍ରଚାର ଯାତ୍ରା: ୧୮:୨୩-୨୧:୧୬
(ଙ) ଯିରୂଶାଲମ, ସିସେରିଆ ଓ ରୋମରେ ପାଉଲ ବନ୍ଦୀ: ୨୧:୧୭-୨୮:୩୧
Chwazi Kounye ya:
ପ୍ରେରିତ ଉପକ୍ରମଣିକା: ODCLBSI
Pati Souliye
Pataje
Kopye
Ou vle gen souliye ou yo sere sou tout aparèy ou yo? Enskri oswa konekte
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.