ଆଦି ପୁସ୍ତକ 2

2
1ଏହି ରୂପେ ଆକାଶମଣ୍ତଳ ଓ ପୃଥିବୀର, ପୁଣି ସେହି ଦୁଇରେ ସ୍ଥିତ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତଣହେଲା।
2ଏଥୁଅନ୍ତେ ପରମେଶ୍ଵର ଆପଣାର କାର୍ଯ୍ୟ ସମାପ୍ତ କରି ସପ୍ତମ ଦିନରେ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ।
3ପୁଣି ପରମେଶ୍ଵର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ। ଯେହେତୁ ସେହି ଦିନରେ ପରମେଶ୍ଵର ସୃଷ୍ଟିକରଣରୂପ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ।
ଏଦନ ଉଦ୍ୟାନ
4ସୃଷ୍ଟିକାଳରେ ଆକାଶମଣ୍ତଳ ଓ ପୃଥିବୀର ବିବରଣ ଏହି। ଯେଉଁ ସମୟରେ ସଦାପ୍ରଭୁ ପରମେଶ୍ଵର ଆକାଶମଣ୍ତଳ ଓ ପୃଥିବୀ ନିର୍ମାଣ କଲେ,
5ସେ ସମୟରେ କ୍ଷେତ୍ରରେ କୌଣସି ତୃଣ ନ ଥିଲା ଓ ଭୂମିରେ କୌଣସି ଶାକ ନ ଥିଲା; ଯେହେତୁ ସଦାପ୍ରଭୁ ପରମେଶ୍ଵର ପୃଥିବୀରେ ବୃଷ୍ଟି କରାଇ ନ ଥିଲେ, ଆଉ କୃଷିକର୍ମ କରିବାକୁ ମନୁଷ୍ୟ ହିଁ ନ ଥିଲା।
6ପୁଣି ପୃଥିବୀରୁ ଏକ କୁହୁଡ଼ି ଉଠି ସମସ୍ତ ଭୂମିରେ ଜଳ ସିଞ୍ଚିଲା।
7ଅନନ୍ତର ସଦାପ୍ରଭୁ ପରମେଶ୍ଵର ଭୂମିର ଧୂଳି ଦ୍ଵାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ; ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା।
8ଆଉ ସଦାପ୍ରଭୁ ପରମେଶ୍ଵର ପୂର୍ବଦିଗସ୍ଥ ଏଦନରେ ଏକ ଉଦ୍ୟାନ ପ୍ରସ୍ତୁତ କରି ସେଠାରେ ସ୍ଵନିର୍ମିତ ମନୁଷ୍ୟକୁ ରଖିଲେ।
9ସଦାପ୍ରଭୁ ପରମେଶ୍ଵର ସେହି ଭୂମିରୁ ନାନାଜାତୀୟ ସୁଦୃଶ୍ୟ ଓ ସୁଖାଦ୍ୟ ବୃକ୍ଷ, ପୁଣି ସେହି ଉଦ୍ୟାନର ମଧ୍ୟସ୍ଥାନରେ ଅମୃତ ବୃକ୍ଷ ଓ ସଦସତ୍ ଜ୍ଞାନଦାୟକ ବୃକ୍ଷ ଉତ୍ପନ୍ନ କଲେ।
10ଉଦ୍ୟାନରେ ଜଳସେଚନାର୍ଥେ ଏଦନରୁ ଗୋଟିଏ ନଦୀ ନିର୍ଗତ ହୋଇ ସେହି ସ୍ଥାନରୁ ଭିନ୍ନ ଭିନ୍ନ ଚାରିଧାର ହେଲା।
11ପ୍ରଥମ ନଦୀର ନାମ ପିଶୋନ; ତାହା ସ୍ଵର୍ଣ୍ଣୋତ୍ପାଦକ ହବିଲା ଦେଶସମୂହକୁ ବେଷ୍ଟନ କରେ।
12ସେହି ଦେଶର ସୁବର୍ଣ୍ଣ ଉତ୍ତମ, ପୁଣି ସେଠାରେ ମୁକ୍ତା ଓ ଗୋମେଦକ ମଣି ଜନ୍ମଇ।
13ଦ୍ଵିତୀୟ ନଦୀର ନାମ ଗୀହୋନ, ଏହା ସମସ୍ତ କୁଶ ଦେଶ ବେଷ୍ଟନ କରେ।
14ତୃତୀୟ ନଦୀର ନାମ ହିଦ୍ଦେକଲ, ଏହା ଅଶୂରୀୟ ଦେଶର ସମ୍ମୁଖ ଦେଇ ଗମନ କରେ। ଚତୁର୍ଥ ନଦୀର ନାମ ଫରାତ୍।
15ପୁଣି ସଦାପ୍ରଭୁ ପରମେଶ୍ଵର ସେହି ମନୁଷ୍ୟକୁ ନେଇ ଏଦନ ଉଦ୍ୟାନକୁ ସୁସଜ୍ଜିତ ଓ ରକ୍ଷା କରିବା ପାଇଁ ନିଯୁକ୍ତ କଲେ।
16ସଦାପ୍ରଭୁ ପରମେଶ୍ଵର ସେହି ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, ତୁମ୍ଭେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ଵଚ୍ଛନ୍ଦରେ ଭୋଜନ କରି ପାର,
17ମାତ୍ର ସଦସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତା; ମରିବ।
18ଅନନ୍ତର ସଦାପ୍ରଭୁ ପରମେଶ୍ଵର କହିଲେ, ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ଆମ୍ଭେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା।
19ଆଉ ସଦାପ୍ରଭୁ ପରମେଶ୍ଵର ଭୂମିରୁ ବିଲର ପଶୁଗଣ ଓ ଖେଚର ପକ୍ଷୀଗଣ ନିର୍ମାଣ କରି ଆଦମ ସେମାନଙ୍କୁ କି ନାମ ଦେବେ, ଏହା ଜାଣିବା ପାଇଁ ସମସ୍ତଙ୍କୁ ତାଙ୍କ ନିକଟକୁ ଆଣିଲେ। ତହିଁରେ ଆଦମ ସେହି ପ୍ରାଣୀବର୍ଗ ମଧ୍ୟରୁ ଯାହାକୁ ଯେଉଁ ନାମ ଦେଲେ, ତାହାର ସେହି ନାମ ହେଲା।
20ଏହି ରୂପେ ଆଦମ ପଶୁ, ଖେଚର ପକ୍ଷୀ ଓ ବିଲର ପ୍ରତ୍ୟେକ ଜନ୍ତୁର ନାମ ଦେଲେ; ମାତ୍ର ମନୁଷ୍ୟ ନିମନ୍ତେ ତାଙ୍କର ଅନୁରୂପ ସହକାରିଣୀ ଦେଖାଗଲା ନାହିଁ।
21ଅନନ୍ତର ସଦାପ୍ରଭୁ ପରମେଶ୍ଵର ଆଦମଙ୍କୁ ଘୋର ନିଦ୍ରାଗ୍ରସ୍ତ କରାଇ ସେହି ନିଦ୍ରା ସମୟରେ ତାଙ୍କର ଖଣ୍ତେ ପଞ୍ଜର ନେଇ ମାଂସ ଦ୍ଵାରା ସେହି ସ୍ଥାନ ପୂର୍ଣ୍ଣ କଲେ।
22ଆଉ ସଦାପ୍ରଭୁ ପରମେଶ୍ଵର ଆଦମଙ୍କଠାରୁ ଯେଉଁ ପଞ୍ଜର ଖଣ୍ତିକ ନେଲେ, ତଦ୍ଦ୍ଵାରା ଏକ ସ୍ତ୍ରୀ ନିର୍ମାଣ କରି ଆଦମଙ୍କ ନିକଟକୁ ଆଣିଲେ।
23ତହୁଁ ଆଦମ କହିଲେ, ଏଥର ହେଲା; ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ; ଏହା ନାମ ନାରୀ, ଯେହେତୁ ଏ ନରଠାରୁ ନୀତା ହୋଇଅଛି।
24ଏନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ।
25ଆଦମ ଓ ତାଙ୍କର ଭାର୍ଯ୍ୟା, ଦୁହେଁ ଉଲଙ୍ଗ ଥିଲେ ହେଁ ସେମାନଙ୍କର ଲଜ୍ଜାବୋଧ ନ ଥିଲା।

वर्तमान में चयनित:

ଆଦି ପୁସ୍ତକ 2: ODIAOV-BSI

हाइलाइट

शेयर

कॉपी

None

Want to have your highlights saved across all your devices? Sign up or sign in

YouVersion आपके अनुभव को वैयक्तिकृत करने के लिए कुकीज़ का उपयोग करता है। हमारी वेबसाइट का उपयोग करके, आप हमारी गोपनीयता नीति में वर्णित कुकीज़ के हमारे उपयोग को स्वीकार करते हैं।