Logo de YouVersion
Ícono Búsqueda

ମାଥିଉ 2

2
ପୂର୍ବଦେଶୀୟ ପଣ୍ଡିତ
1ହେରୋଦ ରାଜାଙ୍କ ସମୟରେ ଯିହୂଦିୟା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମ ହେବା ପରେ, ଦେଖ, ପୂର୍ବ ଦିଗରେ ଥିବା ଦେଶରୁ କେତେକ ପଣ୍ଡିତ ଯିରୂଶାଲମ ସହରକୁ ଆସି କହିଲେ, 2“ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବ ଦିଗରେ ତାହାଙ୍କ ତାରା ଦେଖି ତାହାଙ୍କୁ ଆରାଧନା କରିବାକୁ ଆସିଅଛୁ।”
3ଏହା ଶୁଣି ହେରୋଦ ରାଜା ଓ ତାହାଙ୍କ ସହିତ ସମସ୍ତ ଯିରୂଶାଲମ ନିବାସୀ ଉଦ୍‌ବିଗ୍ନ ହେଲେ;
4ପୁଣି, ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି, ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ, ତାହା ସେମାନଙ୍କଠାରୁ ବୁଝିବା ପାଇଁ ଚେଷ୍ଟା କଲେ। 5ସେମାନେ ତାହାଙ୍କୁ କହିଲେ, ଯିହୂଦିୟା ପ୍ରଦେଶର ବେଥଲିହିମରେ, କାରଣ ଭାବବାଦୀଙ୍କ ଦ୍ୱାରା ଏପରି ଲେଖାଅଛି,
6“ଆଉ ଗୋ ଯିହୂଦାଙ୍କ ପ୍ରଦେଶର ବେଥଲିହିମ,
ତୁ ଯିହୂଦାର ପ୍ରଧାନ ନଗରସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁଁ,
କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ,
ଏପରି ଜଣେ ଶାସନକର୍ତ୍ତା ତୋʼଠାରୁ ଆସିବେ।”
7ତାହାପରେ ହେରୋଦ ପଣ୍ଡିତମାନଙ୍କୁ ଗୋପନରେ ଡାକି, ସେହି ତାରା କେଉଁ ସମୟରେ ଦେଖାଗଲା, ଏହା ସେମାନଙ୍କଠାରୁ ଠିକ୍ ଭାବରେ ବୁଝିନେଲେ। 8ପୁଣି, ସେ ସେମାନଙ୍କୁ ବେଥଲିହିମକୁ ପଠାଇ କହିଲେ, “ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ବନ୍ଧରେ ଠିକ୍ ଭାବରେ ଅନୁସନ୍ଧାନ କରନ୍ତୁ, ଆଉ ସନ୍ଧାନ ପାଇଲାକ୍ଷଣି ଆମ୍ଭକୁ ସମ୍ବାଦ ଦିଅନ୍ତୁ, ଯେପରି ଆମ୍ଭେ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବା।”
9ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ରହିଗଲା। 10ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ,
11ଆଉ, ଘର ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରୀୟମଙ୍କ ସଙ୍ଗରେ ଦେଖି, ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଏବଂ ଆରାଧନା କଲେ, ପୁଣି, ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ। 12ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ୱପ୍ନରେ ସତର୍କବାଣୀ ପାଇ ସେମାନେ ଅନ୍ୟ ପଥ ଦେଇ ଆପଣା ଦେଶକୁ ଚାଲିଗଲେ।
ମିସରକୁ ପଳାୟନ
13ସେମାନେ ଚାଲିଯିବା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, “ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିସରକୁ ପଳାଅ, ପୁଣି, ଆମ୍ଭେ ତୁମ୍ଭକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ, କାରଣ ଶିଶୁଙ୍କୁ ବିନାଶ କରିବା ନିମନ୍ତେ ହେରୋଦ ତାହାଙ୍କୁ ଅନ୍ୱେଷଣ କରିବାକୁ ଉଦ୍ୟତ।”
14ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିସରକୁ ପଳାଇଗଲେ, 15ଆଉ ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, “ମିସରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ।”
ହେରୋଦଙ୍କ ଶିଶୁ ହତ୍ୟା
16ଇତିମଧ୍ୟରେ ହେରୋଦ ପଣ୍ଡିତମାନଙ୍କ ଦ୍ୱାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି ରାଗିଗଲେ, ଆଉ ସେମାନଙ୍କ ନିକଟରୁ ଉତ୍ତମ ରୂପେ ଯେଉଁ ସମୟରେ ବୁଝିଥିଲେ, ତଦନୁସାରେ ଦୁଇ ବର୍ଷ ଓ ସେଥିରୁ କମ୍ ବୟସ୍କ ଯେତେ ବାଳକ ବେଥଲିହିମ ପୁଣି, ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହି ସମସ୍ତଙ୍କୁ ବଧ କରାଇଲେ।
17ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା,
18“ରାମାରେ ସ୍ୱର ଶୁଣାଗଲା,
ରୋଦନ ଓ ଅତିଶୟ ବିଳାପ,
ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ;
ଆଉ ସେମାନେ ନାହାନ୍ତି ବୋଲି ସେ ସାନ୍ତ୍ୱନାର କଥା ମାନିବାକୁ ଇଚ୍ଛା କରୁ ନ ଥିଲେ।”
ନାଜରିତକୁ ପ୍ରତ୍ୟାବର୍ତ୍ତନ
19ହେରୋଦଙ୍କ ମୃତ୍ୟୁ ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ମିସରରେ ଯୋଷେଫଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, 20“ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ଇସ୍ରାଏଲ ଦେଶକୁ ଯାଅ, କାରଣ ଯେଉଁମାନେ ଶିଶୁଙ୍କ ପ୍ରାଣ ବିନାଶ କରିବା ନିମନ୍ତେ ଚେଷ୍ଟା କରୁଥିଲେ, ସେମାନଙ୍କର ମୃତ୍ୟୁ ଘଟିଅଛି।” 21ସେଥିରେ ସେ ଉଠି ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ଇସ୍ରାଏଲ ଦେଶକୁ ଆସିଲେ।
22ମାତ୍ର ଆର୍ଖିଲାୟ ଆପଣା ପିତା ହେରୋଦଙ୍କ ସ୍ଥାନରେ ଯିହୂଦିୟା ପ୍ରଦେଶର ରାଜା ହୋଇଅଛନ୍ତି, ଏହା ଶୁଣି ସେଠାକୁ ଯିବା ପାଇଁ ସେ ଭୟ କଲେ; କିନ୍ତୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇ ସେ ଗାଲିଲୀ ଅଞ୍ଚଳକୁ ପଳାଇଗଲେ 23ଓ ନାଜରିତ ନାମକ ନଗରରେ ଯାଇ ବାସ କଲେ, ଯେପରି ଭାବବାଦୀମାନଙ୍କ ଦ୍ୱାରା ଉକ୍ତ ବାକ୍ୟ ସଫଳ ହୁଏ ଯେ, “ସେ ନାଜରିତୀୟ ବୋଲି ଖ୍ୟାତ ହେବେ।”

Actualmente seleccionado:

ମାଥିଉ 2: IRVOry

Destacar

Compartir

Comparar

Copiar

None

¿Quieres guardar tus resaltados en todos tus dispositivos? Regístrate o Inicia sesión