ଥେସଲନିକୀୟମାନଙ୍କ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର ଉପକ୍ରମଣିକା
ଉପକ୍ରମଣିକା
ଥେସଲନିକା ସହର ରୋମୀୟ ପ୍ରଦେଶ ମାସିଦୋନିଆର ରାଜଧାନୀ ଥିଲା। ସେଠାରେ ପାଉଲ ଫିଲିପୀରୁ ଆସିବା ପରେ ଏକ ଖ୍ରୀଷ୍ଟୀୟ ମଣ୍ଡଳୀ ସ୍ଥାପନ କଲେ। ସେଠାରେ ଥିବା ଇହୁଦୀମାନେ ଏଥିରେ ତାଙ୍କୁ ବାଧା ଦେଲେ, କାରଣ ଇହୁଦୀ ଧର୍ମ ପ୍ରତି ଆଗ୍ରହାନ୍ୱିତ ଅଣଇହୁଦୀମାନଙ୍କ ନିକଟରେ ପାଉଲ ଖ୍ରୀଷ୍ଟୀୟ ସୁସମାଚାର ପ୍ରଚାର କରି ସେମାନଙ୍କୁ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ କରୁଥିଲେ। ଏହି କାରଣରୁ ପାଉଲ ଥେସଲନିକୀ ଛାଡ଼ି ବିରିୟାକୁ ଯିବା ପାଇଁ ବାଧ୍ୟ ହେଲେ। ପରେ ସେ କରିନ୍ଥରେ ଥିବାବେଳେ ଥେସଲନିକା ମଣ୍ଡଳୀର ଅବସ୍ଥା ସମ୍ପର୍କରେ ତାଙ୍କର ସଙ୍ଗୀ ଓ ସହକର୍ମୀ ତୀମଥିଙ୍କଠାରୁ ଏକ ବିବରଣୀ ପାଇଲେ।
ଥେସଲନିକୀୟ ମଣ୍ଡଳୀର ଖ୍ରୀଷ୍ଟିୟାନମାନଙ୍କୁ ଉତ୍ସାହ ଦେବା ପାଇଁ ପାଉଲଙ୍କ ପ୍ରଥମ ପତ୍ର ଲିଖିତ। ସେମାନଙ୍କ ବିଶ୍ୱାସ ଓ ପ୍ରେମର ସମ୍ବାଦ ପାଇ ସେ ଧନ୍ୟବାଦ ସହ ପତ୍ର ଆରମ୍ଭ କରିଛନ୍ତି। ସେମାନଙ୍କ ସହିତ ବାସ କରୁଥିବା ସମୟରେ ସେ କି ପ୍ରକାର ଜୀବନ କାଟୁଥିଲେ, ତାହା ସେ ସେମାନଙ୍କୁ ସ୍ମରଣ କରାଇ, ଥେସଲନିକୀୟ ମଣ୍ଡଳୀରେ ଉଠୁଥିବା କେତେକ ପ୍ରଶ୍ନର ଉତ୍ତର ଏ ପତ୍ରରେ ଦେଇଛନ୍ତି, ଯଥା - ଖ୍ରୀଷ୍ଟଙ୍କ ପୁନରାଗମନ କେବେ ହେବ? ତାଙ୍କ ପୁନରାଗମନ ପୂର୍ବରୁ ଜଣେ ବିଶ୍ୱାସୀର ମୃତ୍ୟୁ ହେଲେ, ସେ କ’ଣ ଖ୍ରୀଷ୍ଟଙ୍କ ପ୍ରତିଜ୍ଞାତ ଦାନ ଅନନ୍ତ ଜୀବନର ଅଂଶୀ ହୋଇପାରିବ? ଦୃଢ଼ ଭରସାର ସହିତ ଖ୍ରୀଷ୍ଟଙ୍କ ପୁନରାଗମନର ଅପେକ୍ଷାରେ ଥିବାବେଳେ ନୀରବରେ ନିଜର କର୍ତ୍ତବ୍ୟ ସାଧନ କରିବାକୁ ଏ ପତ୍ରରେ ପାଉଲ ସେମାନଙ୍କୁ ପରାମର୍ଶ ଦେଇଛନ୍ତି।
ବିଷୟ ସୂଚୀ
ପୂର୍ବାଭାସ - ୧:୧
କୃତଜ୍ଞତା ଓ ଧନ୍ୟବାଦ - ୧:୨-୩:୧୩
ଖ୍ରୀଷ୍ଟୀୟ ଆଚରଣ ଦେଖାଇବା ପାଇଁ ଅନୁରୋଧ - ୪:୧-୧୨
ଖ୍ରୀଷ୍ଟଙ୍କ ପୁନରାଗମନ ସମ୍ପର୍କରେ ନିର୍ଦ୍ଦେଶ - ୪:୧୩-୫:୧୧
ଶେଷ ପରାମର୍ଶ - ୫:୧୨-୨୨
ଉପସଂହାର - ୫:୨୩-୨୮
Currently Selected:
ଥେସଲନିକୀୟମାନଙ୍କ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର ଉପକ୍ରମଣିକା: ODCLBSI
Highlight
Share
Copy
Want to have your highlights saved across all your devices? Sign up or sign in
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.