ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 29
29
ଯାଜକ ରୂପେ ଅଭିଷିକ୍ତ ହେବାର ବିଧି
1ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ସେମାନଙ୍କୁ ପ୍ରତିଷ୍ଠା କରିବା ପାଇଁ ତୁମ୍ଭେ ସେମାନଙ୍କ ପ୍ରତି ଏହି ସମସ୍ତ କର୍ମ କରିବ; ନିଖୁନ୍ତ ଏକ ଗୋବତ୍ସ ଓ ଦୁଇ ମେଷ ନେବ, 2ପୁଣି, ତାଡ଼ିଶୂନ୍ୟ ରୁଟି, ତୈଳ ମିଶ୍ରିତ ତାଡ଼ିଶୂନ୍ୟ ପିଠା ଓ ତୈଳଯୁକ୍ତ ତାଡ଼ିଶୂନ୍ୟ ସରୁ ଚକୁଳି ଗହମ ମଇଦାରେ ପ୍ରସ୍ତୁତ କରିବ। 3ପୁଣି, ଗୋଟିଏ ଡାଲାରେ ତାହା ରଖିବ, ସେହି ଗୋବତ୍ସ ଓ ଦୁଇ ମେଷ ସଙ୍ଗରେ ଘେନି ସେହି ଡାଲା ଆଣିବ। 4ଆଉ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ବୁ-ଦ୍ୱାର ନିକଟକୁ ଆଣି ଜଳରେ ସେମାନଙ୍କୁ ସ୍ନାନ କରାଇବ। 5ତା’ପରେ ସେହି ସମସ୍ତ ବସ୍ତ୍ର ନେଇ ହାରୋଣକୁ ଜାମା, ଏଫୋଦର ଚୋଗା, ଏଫୋଦ ଓ ବୁକୁପଟା ପରିଧାନ କରାଇବ, ଆଉ ଏଫୋଦର ଚିତ୍ରିତ ପଟୁକାରେ ତାହାର କଟି ବାନ୍ଧିବ। 6ତାହାର ମସ୍ତକରେ ପଗଡ଼ି ବାନ୍ଧି ତହିଁ ଉପରେ ପବିତ୍ର ମୁକୁଟ ଦେବ। 7ଏଉତ୍ତାରେ ଅଭିଷେକାର୍ଥକ ତୈଳ ଘେନି ତାହାର ମସ୍ତକ ଉପରେ ଢ଼ାଳି ତାହାକୁ ଅଭିଷେକ କରିବ। 8ତହୁଁ ତୁମ୍ଭେ ହାରୋଣର ପୁତ୍ରଗଣକୁ ଆଣି ଜାମା ପରିଧାନ କରାଇବ। 9ପୁଣି, ହାରୋଣକୁ ଓ ତାହାର ପୁତ୍ରଗଣକୁ କଟିବନ୍ଧନ ପରିଧାନ କରାଇବ ଓ ସେମାନଙ୍କ ମସ୍ତକରେ ଶିରୋଭୂଷଣ ବାନ୍ଧିବ; ତହିଁରେ ସେମାନେ ଅନନ୍ତକାଳୀନ ବିଧି ଦ୍ୱାରା ଯାଜକତ୍ୱ ପଦ ପ୍ରାପ୍ତ ହେବେ। ଏହିରୂପେ ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ନିଯୁକ୍ତ କରିବ। 10ଏଥିଉତ୍ତାରେ ତୁମ୍ଭେ ସମାଗମ-ତମ୍ବୁ ସମ୍ମୁଖକୁ ସେହି ଗୋବତ୍ସ ଅଣାଇବ, ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସେହି ଗୋବତ୍ସର ମସ୍ତକରେ ଆପଣା ଆପଣା ହସ୍ତ ରଖିବେ। 11ତହୁଁ ତୁମ୍ଭେ ସମାଗମ-ତମ୍ବୁର ଦ୍ୱାର ସମୀପରେ ସଦାପ୍ରଭୁଙ୍କ ଛାମୁରେ ସେହି ଗୋବତ୍ସକୁ ବଧ କରିବ। 12ଏଥିଉତ୍ତାରେ ଗୋବତ୍ସର ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ବେଦିର ଶୃଙ୍ଗ ଉପରେ ଦେବ, ପୁଣି, ବେଦି ମୂଳରେ ଆଉ ସବୁ ରକ୍ତ ଢାଳି ଦେବ। 13ଆଉ ତାହାର ଅନ୍ତ୍ରୋପରିସ୍ଥିତ ମେଦ ଓ ଯକୃତ ଉପରିସ୍ଥ ଅନ୍ତ୍ରାପ୍ଳାବକ ଓ ଦୁଇ ବୃକ୍କ ଓ ତହିଁ ଉପରିସ୍ଥ ମେଦ ଘେନି ବେଦିରେ ଦଗ୍ଧ କରିବ। 14ମାତ୍ର ଗୋବତ୍ସର ମାଂସ, ଚର୍ମ ଓ ଗୋମୟ ଛାଉଣିର ବାହାରେ ଅଗ୍ନିରେ ଦଗ୍ଧ କରିବ; ଏହା ପାପାର୍ଥକ ବଳି ଅଟେ। 15ଏଥିଉତ୍ତାରେ ତୁମ୍ଭେ ପ୍ରଥମ ମେଷ ନେବ; ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ଆପଣା ଆପଣା ହସ୍ତ ରଖିବେ। 16ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର ରକ୍ତ ନେଇ ବେଦି ଉପରେ ଚାରିଆଡ଼େ ଛିଞ୍ଚିବ। 17ତହିଁ ଉତ୍ତାରେ ମେଷକୁ ଖଣ୍ଡ ଖଣ୍ଡ କରି ତାହାର ଅନ୍ତ୍ର ଓ ଗୋଡ଼ ଧୌତ କରି ତାହାସବୁ ସେହି ଖଣ୍ଡସକଳ ଓ ମସ୍ତକ ସହ ରଖିବ। 18ପୁଣି, ତୁମ୍ଭେ ସମ୍ପୂର୍ଣ୍ଣ ମେଷକୁ ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କର ହୋମବଳି ଓ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଅଟେ। 19ଏଥିଉତ୍ତାରେ ତୁମ୍ଭେ ଦ୍ୱିତୀୟ ମେଷକୁ ନେବ, ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ଆପଣା ଆପଣା ହସ୍ତ ରଖିବେ। 20ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର କିଛି ରକ୍ତ ଘେନି ହାରୋଣର ଦକ୍ଷିଣ କର୍ଣ୍ଣ-ପ୍ରାନ୍ତରେ ଓ ତାହାର ପୁତ୍ରଗଣର ଦକ୍ଷିଣ କର୍ଣ୍ଣ-ପ୍ରାନ୍ତରେ, ସେମାନଙ୍କ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଷ୍ଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଷ୍ଠି ଉପରେ ଲଗାଇବ, ପୁଣି, ବେଦି ଉପରେ ଚାରିଆଡ଼େ ରକ୍ତ ଛିଞ୍ଚିବ। 21ଏଥିଉତ୍ତାରେ ବେଦିର ଉପରିସ୍ଥିତ ରକ୍ତରୁ ଓ ଅଭିଷେକାର୍ଥକ ତୈଳରୁ କିଛି ନେଇ ହାରୋଣ ଉପରେ ଓ ତାହାର ବସ୍ତ୍ର ଉପରେ, ପୁଣି, ତାହା ସହିତ ତାହାର ପୁତ୍ରଗଣ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ଛିଞ୍ଚିବ; ତହିଁରେ ସେ ଓ ତାହା ସହିତ ତାହାର ବସ୍ତ୍ର, ପୁଣି, ତାହାର ପୁତ୍ରଗଣ ଓ ସେମାନଙ୍କ ବସ୍ତ୍ର ପବିତ୍ର ହେବ। 22ଆହୁରି, ତୁମ୍ଭେ ସେହି ମେଷର ମେଦ, ମେଦମୟ ଲାଙ୍ଗୁଳ, ଅନ୍ତ୍ର ଉପରିସ୍ଥ ମେଦ, ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ, ଦୁଇ ଗୁର୍ଦା, ତହିଁ ଉପରିସ୍ଥ ମେଦ ଓ ଡାହାଣ ଚଟୁଆ ନେବ, ଯେହେତୁ ତାହା ଉତ୍ସର୍ଗୀକୃତ ମେଷ ଅଟେ। 23ପୁଣି, ସଦାପ୍ରଭୁଙ୍କ ଛାମୁସ୍ଥିତ ତାଡ଼ିଶୂନ୍ୟ ରୁଟିର ଡାଲାରୁ ଏକ ରୁଟି, ତୈଳ ମିଶ୍ରିତ ଏକ ପିଠା ଓ ଏକ ସରୁ ଚକୁଳି ନେଇ 24ତାହାସବୁ ହାରୋଣର ହସ୍ତରେ ଓ ତାହାର ପୁତ୍ରଗଣ ହସ୍ତରେ ଦେଇ ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ତାହା ଦୋଳାଇବ। 25ଏଥିଉତ୍ତାରେ ତୁମ୍ଭେ ସେମାନଙ୍କ ହସ୍ତରୁ ତାହାସବୁ ନେଇ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଛାମୁରେ ବେଦିରେ ହୋମାର୍ଥକ ବଳି ଉପରେ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଅଟେ। 26ଏଥିଉତ୍ତାରେ ତୁମ୍ଭେ ହାରୋଣର ଉତ୍ସର୍ଗୀକୃତ ମେଷର ବକ୍ଷ ଘେନି ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ଦୋଳାଇବ; ସେହି ଖଣ୍ଡ ତୁମ୍ଭର ଅଂଶ ହେବ। 27ଆଉ ହାରୋଣର ଓ ତାହାର ପୁତ୍ରଗଣର ପଦନିଯୋଗାର୍ଥକ ମେଷର ଯେଉଁ ବୁକୁ ରୂପ ଦୋଳନୀୟ ନୈବେଦ୍ୟ ଦୋଳାୟିତ ଓ ଯେଉଁ ଚଟୁଆ ରୂପ ଉତ୍ତୋଳନୀୟ ଉପହାର ଉତ୍ତୋଳିତ ହେଲା, ତାହା ତୁମ୍ଭେ ପବିତ୍ର କରିବ। 28ତହିଁରେ ଅନନ୍ତକାଳୀନ ବିଧି ଦ୍ୱାରା ଇସ୍ରାଏଲ ସନ୍ତାନଗଣଠାରୁ ତାହା ହାରୋଣର ଓ ତାହାର ପୁତ୍ରଗଣର ଅଧିକାର ହେବ, ଯେହେତୁ ତାହା ଉତ୍ତୋଳନୀୟ ଉପହାର ଅଟେ; ଇସ୍ରାଏଲ ସନ୍ତାନଗଣର ଏହି ଉତ୍ତୋଳନୀୟ ଉପହାର ସେମାନଙ୍କ ମଙ୍ଗଳାର୍ଥକ ବଳିରୁ ଦେୟ ହେବ; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଉତ୍ତୋଳନୀୟ ଉପହାର ଅଟେ। 29ପୁଣି, ହାରୋଣର (ମୁତ୍ୟୁ) ଉତ୍ତାରେ ତାହାର ପବିତ୍ର ବସ୍ତ୍ରସକଳ ତାହାର ପୁତ୍ରଗଣର ହେବ; ଅଭିଷେକ ଓ ପଦ ନିଯୁକ୍ତି ସମୟରେ ସେମାନେ ତାହା ପରିଧାନ କରିବେ। 30ତାହାର ପୁତ୍ରମାନଙ୍କ ମଧ୍ୟରୁ ଯେଉଁ ଲୋକ ତାହା ପଦରେ ଯାଜକ ହୋଇ ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସମାଗମ-ତମ୍ବୁକୁ ଆସିବ, ସେ ସେହି ବସ୍ତ୍ର ସାତ ଦିନ ପରିଧାନ କରିବ। 31ଏଥିଉତ୍ତାରେ ତୁମ୍ଭେ ସେହି ଉତ୍ସର୍ଗୀକୃତ ମେଷର ମାଂସ ଘେନି ଗୋଟିଏ ପବିତ୍ର ସ୍ଥାନରେ ପାକ କରିବ, 32ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ବୁର ଦ୍ୱାର ନିକଟରେ ସେହି ମେଷ ମାଂସ ଓ ଡାଲାସ୍ଥିତ ସେହି ରୁଟି ଭୋଜନ କରିବେ। 33ପୁଣି, ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହା ଦ୍ୱାରା ପ୍ରାୟଶ୍ଚିତ୍ତ ହେଲା, ତାହା ସେମାନେ ଭୋଜନ କରିବେ; ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ, କାରଣ ତାହା ସବୁ ପବିତ୍ର ବସ୍ତୁ। 34ଆଉ ସେହି ପଦ-ନିଯୋଗାର୍ଥକ ମାଂସ ଓ ରୁଟିରୁ ଯଦି ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ, ତେବେ ସେହି ଅବଶିଷ୍ଟାଂଶ ଅଗ୍ନିରେ ଭସ୍ମସାତ୍ କରିବ, କେହି ତାହା ଖାଇବ ନାହିଁ; କାରଣ ତାହା ପବିତ୍ର ବସ୍ତୁ ଅଟେ। 35ଆମ୍ଭେ ତୁମ୍ଭକୁ ଯେପରି ଆଜ୍ଞା ଦେଇଅଛୁ , ତଦନୁସାରେ ତୁମ୍ଭେ ହାରୋଣ ପ୍ରତି ଓ ତାହାର ପୁତ୍ରଗଣ ପ୍ରତି କରିବ; ସେମାନଙ୍କ ଉତ୍ସର୍ଗୀକୃତରେ ସାତଦିନ ଲାଗିବ। 36ଆଉ ତୁମ୍ଭେ ପ୍ରାୟଶ୍ଚିତ୍ତ ନିମନ୍ତେ ପ୍ରତି ଦିନ ପାପାର୍ଥକ ବଳି ରୂପେ ଏକ ପୁଂଗୋବତ୍ସ ଉତ୍ସର୍ଗ କରିବ, ପୁଣି, ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ତାହା ପାପମୁକ୍ତ କରିବ ଓ ତାହା ପବିତ୍ର କରିବା ପାଇଁ ଅଭିଷେକ କରିବ। 37ତୁମ୍ଭେ ବେଦି ନିମନ୍ତେ ସାତ ଦିନ ପ୍ରାୟଶ୍ଚିତ୍ତ କରି ତାହା ପବିତ୍ର କରିବ; ତହିଁରେ ବେଦି ମହାପବିତ୍ର ହେବ, ପୁଣି, ଯାହା କିଛି ବେଦି ସ୍ପର୍ଶ କରେ, ସେସବୁ ପବିତ୍ର ହେବ।
ଦୈନନ୍ଦିନ ନୈବେଦ୍ୟ
38ସେହି ବେଦି ଉପରେ ତୁମ୍ଭେ ଏହି ବଳି ଉତ୍ସର୍ଗ କରିବ; ତୁମ୍ଭେ ନିୟମିତ ଭାବରେ ପ୍ରତିଦିନ ଏକ ବର୍ଷୀୟ ଦୁଇ ମେଷଶାବକ, 39ଅର୍ଥାତ୍, ତାହାର ପ୍ରଥମ ମେଷଶାବକକୁ ପ୍ରଭାତରେ ଉତ୍ସର୍ଗ କରିବ ଓ ଦ୍ୱିତୀୟ ମେଷଶାବକକୁ ସନ୍ଧ୍ୟା ବେଳେ ଉତ୍ସର୍ଗ କରିବ। 40ପୁଣି, ପ୍ରଥମ ମେଷଶାବକ ସହିତ ହିନ୍ପାତ୍ରର ଚତୁର୍ଥାଂଶ ନିର୍ମଳ ପେଷା ତୈଳରେ ମିଶ୍ରିତ ଏକ ଐଫାର#29:40 ଅର୍ଥାତ୍ ଏକ କିଲୋ ମଇଦା ପୁଣି ତୈଳ ଦଶମାଂଶ ମଇଦା ଓ ପେୟ ନୈବେଦ୍ୟ ନିମନ୍ତେ ହିନ୍ର ଚତୁର୍ଥାଂଶ ଦ୍ରାକ୍ଷାରସ ଦେବ। 41ଆଉ ସନ୍ଧ୍ୟା ସମୟରେ ଦ୍ୱିତୀୟ ମେଷଶାବକ ଉତ୍ସର୍ଗ କରିବ, ପୁଣି, ପ୍ରଭାତର ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ପ୍ରମାଣେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ସ୍ୱରୂପେ ତାହା ଉତ୍ସର୍ଗ କରିବ। 42ଏହା ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ୟ (କର୍ତ୍ତବ୍ୟ) ହୋମ ହେବ; ସେହି ସ୍ଥାନରେ ଆମ୍ଭେ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବା। 43ଆଉ ସେହି ସ୍ଥାନରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ସହିତ ସାକ୍ଷାତ କରିବା; ପୁଣି, ଆମ୍ଭ ପ୍ରତାପରେ (ତମ୍ବୁ) ପବିତ୍ରୀକୃତ ହେବ। 44ଆଉ, ଆମ୍ଭେ ସମାଗମ-ତମ୍ବୁ ଓ ବେଦିକୁ ପବିତ୍ର କରିବା, ପୁଣି, ଆମ୍ଭର ଯାଜକ କର୍ମ କରଣାର୍ଥେ ହାରୋଣକୁ ଓ ତାହାର ପୁତ୍ରଗଣକୁ ପବିତ୍ର କରିବା। 45ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ବାସ କରି ସେମାନଙ୍କର ପରମେଶ୍ୱର ହେବା। 46ତହିଁରେ ଆମ୍ଭେ ଯେ ସେମାନଙ୍କର ସଦାପ୍ରଭୁ ପରମେଶ୍ୱର, ସେମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ମିସର ଦେଶରୁ ସେମାନଙ୍କୁ ବାହାର କରି ଆଣିଅଛୁ, ତାହା ସେମାନେ ଜାଣିବେ; ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର।
Currently Selected:
ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 29: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0