YouVersion Logo
Search Icon

ଲେବୀୟ ପୁସ୍ତକ 5

5
1ଆଉ, ଯେବେ କୌଣସି ପ୍ରାଣୀ ସାକ୍ଷୀ ହୋଇ ରାଣ କରାଇବାର କଥା ଶୁଣିଲେ ହେଁ, ଯାହା ସେ ଦେଖିଅଛି ବା ଜାଣିଅଛି, ତାହା ପ୍ରକାଶ ନ କରି ପାପ କରେ, ତେବେ ସେ ଆପଣା ଅପରାଧ ବହିବ।
2ଅବା ଯେବେ କେହି କୌଣସି ଅଶୁଚି ଦ୍ରବ୍ୟ, ଅର୍ଥାତ୍, ଅଶୁଚି ପଶୁର ଶବ, କି ଅଶୁଚି ଗୋମେଷାଦିର ଶବ, କି ଅଶୁଚି ଉରୋଗାମୀ ପ୍ରାଣୀର ଶବ ସ୍ପର୍ଶ କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ ଓ ସେ ଅଶୁଚି ହୁଏ, ତେବେ ସେ ଦୋଷୀ ହେବ।
3କିଅବା ଯେବେ ସେ ମନୁଷ୍ୟର ଅଶୌଚକାରୀ କୌଣସି ଦ୍ରବ୍ୟ, ଅର୍ଥାତ୍, ଯଦ୍ଦ୍ଵାରା ମନୁଷ୍ୟ ଅଶୁଚି ହୁଏ, ଏପରି କିଛି ଦ୍ରବ୍ୟ ସ୍ପର୍ଶ କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ, ତେବେ ସେ ତାହା ଜ୍ଞାତ ହେଲେ ଦୋଷୀ ହେବ।
4ଅଥବା କେହି ଯେବେ ମନ୍ଦ କରିବାକୁ କି ଭଲ କରିବାକୁ ବାଚାଳତାପୂର୍ବକ ଶପଥ କରେ, ମନୁଷ୍ୟ ଯେକୌଣସି ବିଷୟରେ ଶପଥପୂର୍ବକ ବାଚାଳତା କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ; ତେବେ ସେ ତାହା ଜ୍ଞାତ ହେଲେ, ଉକ୍ତ କୌଣସି ଏକ ବିଷୟରେ ଦୋଷୀ ହେବ।
5ପୁଣି ଉକ୍ତ କୌଣସି ଏକ ବିଷୟରେ ସେ ଦୋଷୀ ହେଲେ, ଆପଣାର ସେହି କୃତ ପାପ ସ୍ଵୀକାର କରିବା ତାହାର କର୍ତ୍ତବ୍ୟ।
6ତହୁଁ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ପାପାର୍ଥକ ବଳିଦାନ ରୂପେ ପଲରୁ ମେଷବତ୍ସା କି ଛାଗବତ୍ସା ନେଇ ସଦାପ୍ରଭୁଙ୍କ ଛାମୁକୁ ଦୋଷାର୍ଥକ ବଳି ଆଣିବ; ପୁଣି ଯାଜକ ତାହାର ପାପ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
7ଆଉ, ସେ ଯେବେ ମେଷବତ୍ସ ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଆପଣା କୃତ ପାପ ନିମନ୍ତେ ଦୋଷାର୍ଥକ ବଳି ରୂପେ ଦୁଇ ଘୁଘୁ ବା ଦୁଇ କାପ୍ତାଛୁଆ ଆଣି ତହିଁରୁ ଗୋଟିକି ପାପ ନିମନ୍ତେ ଓ ଅନ୍ୟଟିକି ହୋମ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
8ପୁଣି ସେ ଯାଜକ ନିକଟକୁ ସେମାନଙ୍କୁ ଆଣିବ, ତହୁଁ ଯାଜକ ପ୍ରଥମେ ପାପାର୍ଥକ ବଳି ଉତ୍ସର୍ଗ କରି ତାହାର ବେକରୁ ମୁଣ୍ତ ମୋଡ଼ିବ, ମାତ୍ର ଦୁଇ ଖଣ୍ତ କରିବ ନାହିଁ।
9ତହୁଁ ସେ ପାପାର୍ଥକ ବଳିର ରକ୍ତରୁ କିଛି ନେଇ ବେଦି ପାର୍ଶ୍ଵରେ ଛିଞ୍ଚିବ, ପୁଣି ଅବଶିଷ୍ଟ ରକ୍ତ ସବୁ ବେଦି ମୂଳରେ ଢାଳିବ; ତାହା ପାପାର୍ଥକ ବଳିଦାନ।
10ତହିଁ ଉତ୍ତାରୁ ସେ ବିଧିମତେ ଅନ୍ୟଟିକି ହୋମାର୍ଥେ ଉତ୍ସର୍ଗ କରିବ; ଏହିରୂପେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ଯାଜକ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ କ୍ଷମାପ୍ରାପ୍ତ ହେବ।
11ମାତ୍ର ସେ ଯେବେ ଦୁଇ ଘୁଘୁ ଅବା ଦୁଇ କାପ୍ତାଛୁଆ ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଆପଣା କୃତ ପାପ ନିମନ୍ତେ ଆପଣାର ଉପହାର ରୂପେ ପାପାର୍ଥକ ନୈବେଦ୍ୟ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବ; ସେ ତହିଁ ଉପରେ ତୈଳ ଦେବ ନାହିଁ, କି କୁନ୍ଦୁରୁ ରଖିବ ନାହିଁ; କାରଣ ତାହା ପାପାର୍ଥକ ନୈବେଦ୍ୟ।
12ତହୁଁ ସେ ତାହା ଯାଜକ ନିକଟକୁ ଆଣିଲେ, ଯାଜକ ତହିଁର ସ୍ମରଣାର୍ଥକ ଅଂଶ ରୂପେ ତହିଁରୁ ଏକ ମୁଷ୍ଟି ନେଇ ବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଉପରେ ତାହା ଦଗ୍ଧ କରିବ; ଏହା ପାପାର୍ଥକ ନୈବେଦ୍ୟ।
13ଏହିରୂପେ ଉକ୍ତ କୌଣସି ବିଷୟରେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ସକାଶୁ ତାହା ନିମନ୍ତେ ଯାଜକ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ; ଆଉ, ଅବଶିଷ୍ଟ ଦ୍ରବ୍ୟ ଭକ୍ଷ୍ୟ-ନୈବେଦ୍ୟ ତୁଲ୍ୟ ଯାଜକର ହେବ।
ଦୋଷାର୍ଥକ ବଳିଦାନର ନିୟମ
14ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
15କେହି ଯେବେ ସତ୍ୟ ଲଙ୍ଘନ କରି ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ବିଷୟରେ ଭ୍ରାନ୍ତିରେ ପାପ କରେ, ତେବେ ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ତୁମ୍ଭର ନିରୂପିତ ପରିମାଣର ରୂପା ଦେଇ ପଲରୁ ଏକ ନିଖୁନ୍ତ ମେଷ ଆଣି ଦୋଷାର୍ଥକ ବଳି ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
16ପୁଣି ପବିତ୍ର ବସ୍ତୁ ବିଷୟରେ ସେ ଯେ ତ୍ରୁଟି କରିଅଛି, ତହିଁର ପରିଶୋଧ କରିବ, ତାହା ଛଡ଼ା ପଞ୍ଚମାଂଶର ଏକାଂଶ ମଧ୍ୟ ଯାଜକକୁ ଦେବ, ତହୁଁ ଯାଜକ ଦୋଷାର୍ଥକ ମେଷବଳି ଦ୍ଵାରା ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।
17ଆଉ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯେବେ କୌଣସି ପ୍ରାଣୀ ତହିଁ ମଧ୍ୟରୁ କୌଣସି କର୍ମ କରି ପାପ କରେ; ଯଦ୍ୟପି ସେ ତାହା ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ, ପୁଣି ଆପଣାର ଅପରାଧ ବହିବ।
18ସେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ପଲରୁ ଏକ ନିଖୁନ୍ତ ମେଷ ଦୋଷାର୍ଥକ ବଳି ରୂପେ ଯାଜକ ନିକଟକୁ ଆଣିବ; ପୁଣି ଯେଉଁ ବିଷୟରେ ସେ ଭ୍ରାନ୍ତିରେ ଭ୍ରାନ୍ତ ହେଲା ଓ ତାହା ଜାଣିଲା ନାହିଁ, ଯାଜକ ତହିଁ ସକାଶୁ ତାହା ପାଇଁ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।
19ତାହା ଦୋଷାର୍ଥକ ବଳି, ସେ ସଦାପ୍ରଭୁଙ୍କ ଛାମୁରେ ନିତା; ଦୋଷୀ।

Highlight

Share

Copy

None

Want to have your highlights saved across all your devices? Sign up or sign in

Videos for ଲେବୀୟ ପୁସ୍ତକ 5