YouVersion Logo
Search Icon

ଯୂନସ 1

1
ପରମଶ୍ଵେରଙ୍କଠାରୁ ଯୂନସଙ୍କ ପଳାୟନ
1ଅମିତ୍ତୟଙ୍କ ପୁତ୍ର ଯୂନସଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
2ଉଠ, ନୀନିବୀ ମହାନଗରକୁ ଯାଅ ଓ ତହିଁ ବିରୁଦ୍ଧରେ ଘୋଷଣା କର; କାରଣ ସେମାନଙ୍କର ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି।
3ମାତ୍ର ଯୂନସ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ପଳାଇ ଯିବା ନିମନ୍ତେ ଉଠିଲେ ଓ ଯାଫୋ ନଗରକୁ ଯାଇ ତର୍ଶୀଶଗାମୀ ଏକ ଜାହାଜ ପାଇଲେ; ତହୁଁ ସେ ତହିଁର ଭଡ଼ା ଦେଇ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ସେମାନଙ୍କ ସଙ୍ଗେ ଯିବା ନିମନ୍ତେ ସେହି ଜାହାଜରେ ଚଢ଼ିଲେ।
4ମାତ୍ର ସଦାପ୍ରଭୁ ସମୁଦ୍ରକୁ ପ୍ରଚଣ୍ତ ବାୟୁ ପ୍ରେରଣ କଲେ, ତହିଁରେ ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ, ଜାହାଜ ଭାଙ୍ଗିଯିବା ପରି ହେଲା।
5ସେତେବେଳେ ନାବିକମାନେ, ଭୀତ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ଦେବତା ନିକଟରେ ପ୍ରାର୍ଥନା କଲେ; ପୁଣି, ସେମାନେ ଜାହାଜକୁ ହାଲୁକା କରିବା ପାଇଁ ତନ୍ମଧ୍ୟସ୍ଥ ଦ୍ରବ୍ୟାଦି ସମୁଦ୍ରରେ ପକାଇ ଦେଲେ। ମାତ୍ର ଯୂନସ ଜାହାଜର ଅନ୍ତରସ୍ଥ ଭାଗକୁ ଯାଇଥିଲେ; ଆଉ, ଶୟନ କରି ଘୋର ନିଦ୍ରାରେ ମଗ୍ନ ହୋଇଥିଲେ।
6ତହିଁରେ ଜାହାଜର ଅଧ୍ୟକ୍ଷ ତାଙ୍କ ନିକଟକୁ ଆସି କହିଲା, ହେ ନିଦ୍ରାଳୁ, କଅଣ କରୁଅଛ? ଉଠ, ତୁମ୍ଭ ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କର, କେଜାଣି ପରମେଶ୍ଵର ଆମ୍ଭମାନଙ୍କ ବିଷୟରେ ମନୋଯୋଗ କରିବେ ଓ ଆମ୍ଭେମାନେ ବିନଷ୍ଟ ନୋହିବୁ।
ଯୂନସଙ୍କୁ ସମୁଦ୍ରକୁ ନିକ୍ଷେପ
7ପୁଣି, ନାବିକମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗୀକୁ କହିଲେ, କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟୁଅଛି ଏହା ଜାଣିବା ନିମନ୍ତେ ଆସ, ଆମ୍ଭେମାନେ ଗୁଲିବାଣ୍ଟ କରୁ। ତହୁଁ ସେମାନେ ଗୁଲିବାଣ୍ଟ କରନ୍ତେ, ଯୂନସଙ୍କ ନାମରେ ଗୁଲି ଉଠିଲା।
8ସେତେବେଳେ ସେମାନେ ତାଙ୍କୁ କହିଲେ, କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି, ତାହା ଆମ୍ଭମାନଙ୍କୁ କୁହ; ତୁମ୍ଭେ କେଉଁ ବ୍ୟବସାୟୀ ଓ କେଉଁଠାରୁ ଆସିଅଛ? ତୁମ୍ଭର କେଉଁ ଦେଶ? ଓ ତୁମ୍ଭେ କେଉଁ ଗୋଷ୍ଠୀର ଲୋକ?
9ତହିଁରେ ସେ ସେମାନଙ୍କୁ କହିଲେ, ମୁଁ ଜଣେ ଏବ୍ରୀୟ; ପୁଣି, ଯେ ସମୁଦ୍ର ଓ ଶୁଷ୍କ ଭୂମିର ସୃଷ୍ଟି କରିଅଛନ୍ତି, ସେହି ସ୍ଵର୍ଗସ୍ଥ ପରମେଶ୍ଵର ସଦାପ୍ରଭୁଙ୍କୁ ମୁଁ ଭୟ କରେ।
10ଏଥିରେ ସେହି ଲୋକମାନେ ମହାଭୀତ ହୋଇ ତାଙ୍କୁ କହିଲେ, ତୁମ୍ଭେ ଏ କି କର୍ମ କରିଅଛ? କାରଣ ସେ ଜଣାଇଥିବାରୁ ସେମାନେ ଜାଣିଥିଲେ ଯେ, ସେ ସଦାପ୍ରଭୁଙ୍କ ଛାମୁରୁ ପଳାଉଅଛନ୍ତି।
11ସେତେବେଳେ ସେମାନେ ତାଙ୍କୁ କହିଲେ, ସମୁଦ୍ର ଯେପରି ଆମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ, ଏଥିପାଇଁ ଆମ୍ଭେମାନେ ତୁମ୍ଭ ପ୍ରତି କଅଣ କରିବା? କାରଣ ସମୁଦ୍ର ବେଳକୁ ବେଳ ପ୍ରଚଣ୍ତ ହୋଇ ଉଠିଲା।
12ତହିଁରେ ସେ ସେମାନଙ୍କୁ କହିଲେ, ମୋତେ ଧରି ସମୁଦ୍ରରେ ପକାଅ ଦିଅ; ତହିଁରେ ସମୁଦ୍ର ତୁମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ; କାରଣ ମୋʼ ସକାଶୁ ତୁମ୍ଭମାନଙ୍କ ନିକଟରେ ଏହି ମହାତୋଫାନ ଉପସ୍ଥିତ ହୋଇଅଛି ବୋଲି ମୁଁ ଜାଣେ।
13ତଥାପି ସେହି ଲୋକମାନେ କୂଳକୁ ଫେରି ଯିବା ନିମନ୍ତେ ବଡ଼ ଯନିରେ ଆହୁଲା ପକାଇଲେ; ମାତ୍ର ସେମାନେ ପାରିଲେ ନାହିଁ; କାରଣ ସମୁଦ୍ର ସେମାନଙ୍କ ପ୍ରତିକୂଳରେ ବେଳକୁ ବେଳ ପ୍ରଚଣ୍ତ ହୋଇ ଉଠିଲା।
14ଏହେତୁରୁ ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ଆମ୍ଭେମାନେ ବିନତି କରୁଅଛୁ, ହେ ସଦାପ୍ରଭୁ, ଆମ୍ଭେମାନେ ବିନତି କରୁଅଛୁ, ଏହି ମନୁଷ୍ୟର ପ୍ରାଣ ସକାଶୁ ଆମ୍ଭେମାନେ ବିନଷ୍ଟ ନ ହେଉ, ପୁଣି ନିରପରାଧର ରକ୍ତପାତ ଦୋଷ ଆମ୍ଭମାନଙ୍କ ଉପରେ ନ ବର୍ତ୍ତାଅ; କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଇଚ୍ଛାମତ କାର୍ଯ୍ୟ କରିଅଛ।
15ଏଥିରେ ସେମାନେ ଯୂନସଙ୍କୁ ଧରି ସମୁଦ୍ରରେ ପକାଇ ଦେଲେ; ପୁଣି, ସମୁଦ୍ର ଆପଣା ପ୍ରଚଣ୍ତତାରୁ ନିବୃତ୍ତ ହେଲା।
16ଏଥିରେ ସେହି ଲୋକମାନେ ସଦାପ୍ରଭୁଙ୍କୁ ଅତିଶୟ ଭୟ କଲେ ଓ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ ଓ ନାନା ମାନତ କଲେ।
17ପୁଣି, ଯୁନସଙ୍କୁ ଗିଳିବା ନିମନ୍ତେ ସଦାପ୍ରଭୁ ଏକ ବୃହତ ମତ୍ସ୍ୟ ନିରୂପଣ କଲେ; ପୁଣି, ଯୂନସ ସେହି ମତ୍ସ୍ୟ ଉଦରରେ ତିନି ଦିନ ଓ ତିନି ରାତ୍ର ରହିଲେ।

Currently Selected:

ଯୂନସ 1: ODIAOV-BSI

Highlight

Copy

Compare

Share

None

Want to have your highlights saved across all your devices? Sign up or sign in